Odisha Link
Bridging the Missing Links in Odisha

ରହସ୍ୟ ଘେରରେ ଆଦିତ୍ୟଙ୍କ ମୃତ୍ୟୁ: ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କଲା ଜିଆର୍‌ପି

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ୧୩ ଦିନ ବିତି ଯାଇଥିଲେ ମଧ୍ୟ କେଉଁ କାରଣରୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଅପରପକ୍ଷେ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମାଲାକୁ ନେଇ ଚାଲିଛି ଜୋରଦାର ତଦନ୍ତ। ଗତକାଲି ମୃତ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ବାପା ଓ ମାଆଙ୍କୁ ପାଖାପାଖି ୪ ଘଣ୍ଟା ଜେରା କରିଛନ୍ତି ତଦନ୍ତକାରୀ ଦଳ।

ଗତକାଲି ସନ୍ଧ୍ୟାରେ ଜିଆରପି ଡିଏସପି ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ତଦନ୍ତ କରିବାକୁ ଆଦିତ୍ୟଙ୍କ ଘରେ ପହଁଞ୍ଚିଥିଲା। ତାଙ୍କ ଘରେ ପରିବାରର ଏହି ତିନି ଜଣ ପତ୍ନୀ, ବାପା ଓ ମାଆଙ୍କୁ ଦୀର୍ଘ ସମୟ ଧରି ଜିଆରପିର ତଦନ୍ତକାରୀ ଦଳ ଜେରା କରିଥିଲେ। ସମସ୍ତ ଦିଗରୁ ମାମଲାର ତଦନ୍ତ କରୁଥିବା କହିଛନ୍ତି ଡିଏସପି ଚନ୍ଦ୍ରଶେଖର ସାହୁ। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସିଦ୍ଧାନ୍ତରେ ଉପନୀତ ହୋଇ ନାହୁଁ ବୋଲି ସେ କହିଛନ୍ତି।

ପୂର୍ବରୁ ଆଦିତ୍ୟ ଦାଶଙ୍କ ଦୁଇ ସାଙ୍ଗ ପପୁ ଓ ବିକାଶକୁ ମଧ୍ୟ ଜେରା କରି ସାରିଛି ଜିଆରପି। ଅନ୍ୟପଟେ ଲିଙ୍ଗରାଜ ଷ୍ଟେସନ ନିକଟରେ ରେଳ ଧାରଣାରେ ଆଦିତ୍ୟଙ୍କ ମୃତ ଦେହ ମିଳିଥିଲା। ତେବେ ସେହି ଦିନ ପୁରୁଷୋତ୍ତମ ଏକ୍ସପ୍ରେସ କୌଣସି ଧକ୍କା ଦେଇ ନଥିବା ଏହାର ଚାଳକ ବିଷ୍ଣୁଚରଣ ସେଠୀ ସୂଚନା ଦେଇଥିଲେ । ଅନ୍ୟପଟେ ସେହି ସମୟରେ ଅତିକ୍ରମ କରିଥିଲା ଆଉ ଗୋଟିଏ ପାର୍ସଲ ଟ୍ରେନ୍ ଓ ମାଲଗାଡି। ତେବେ ଏବେ ବି ରହସ୍ୟ ଭିତରେ ରହିଛି ଆଦିତ୍ୟଙ୍କ ମୃତ୍ୟୁ।

Comments are closed.