Odisha Link
Bridging the Missing Links in Odisha

ଆରମ୍ଭ ହେଲା ୧୪ ଦିନିଆ ଲକ୍‌ଡାଉନ୍‌

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ କ୍ରମାଗତ ଭାବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି କିଛିଦିନର ଅନ୍ତର ପରରେ ପୁଣି ଫେରିଲା ଲକ୍‌ଡାଉନ୍‌ କଟକଣା। ଜୁନ୍ ମାସରେ ସଂକ୍ରମଣ ବଢିଲା ଏବଂ ଏବେ ଜୁଲାଇ ମାସରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ । କିନ୍ତୁ ସରକାର ଆଉ କିଛି ବାଟ ନପାଇ ପୁଣି ଥରେ ସେହି କଠୋର ଲକ୍‌ଡାଉନ୍ ପର୍ଯ୍ୟାୟ ଭିତରେ ପଶିଯିବା ପାଇଁ ନିଷ୍ପତି ନେଇଛନ୍ତି । ଆଜି ରାତି ୯ରୁ ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ୍ ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର–କଟକ ପୁଲିସ କମିଶନର କହିଛନ୍ତି, ଏଥର ଲକ୍ଡାଉନ୍ ପୂର୍ବ ଭଳି ନୁହେଁ ବରଂ ଆହୁରି କଡାକଡ଼ି ହେବ ।

ଜୁଲାଇ ଆରମ୍ଭରୁ କରୋନାର ସଂକ୍ରମଣ ଯେଭଳି ବ୍ୟାପକ ହୋଇଛି, ସେହି ସଂକ୍ରମଣ ଚେନକୁ ସରକାର ଭାଙ୍ଗିବା ପାଇଁ ଲକ୍‌ଡାଉନ୍‌ ଜାରି କରିଛନ୍ତି। ସେଥିପାଇଁ ଆଜି ରାତି ୯ଟାରୁ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ସମେତ ସୁନ୍ଦରଗଡ ଜିଲ୍ଲାର ରାଉରକେଲା ପୌରପାଳିକାକୁ ଲକଡାଉନ ଘୋଷଣା କରାଯାଇଛି। ଏହି କ୍ଷେତ୍ରରୁ କେବଳ ୬୬ ପ୍ରତିଶତ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି ।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୧୬ ହଜାର ପାର କରିଥିବାବେଳେ କେବଳ ଗଞ୍ଜାମରେ ୫ ହଜାର ଟପି ସାରିଲାଣି । ସେହିପରି କରୋନା ମୃତ୍ୟୁ ସଂଖ୍ୟା ୮୩କୁ ଛୁଇଁଲାଣି । ହେଲେ ମହାମାରୀକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ଲକ୍‌ଡାଉନ୍ ସମୟରେ ସନ୍ଦିଗ୍ଧଙ୍କ ନମୂନା ପରୀକ୍ଷାକୁ ବ୍ୟାପକ କରି କ୍ବାରାଣ୍ଟିନରେ ରଖିବା ସହ ଚିକିତ୍ସା କରିବା ମଧ୍ୟ ଜରୁରୀ ବୋଲି ଚିକିତ୍ସିକ ମାନେ ମତ ଦେଇଛନ୍ତି। ଲକ୍‌ଡାଉନ୍‌ରେ ଅତ୍ୟାବଶ୍ୟକ ସେବାକୁ କଟକଣାମୁକ୍ତ କରାଯାଇଛି।

Comments are closed.