Odisha Link
Bridging the Missing Links in Odisha

ହେଲିକପ୍ଟରରେ ସଞ୍ଜୟ ଦାସ ବର୍ମା କାହିଁକି ଗଲେ: ବଳଭଦ୍ର ମାଝି

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। କରୋନା ସଙ୍କଟକୁ ନଜରରେ ରଖି ଖର୍ଚ୍ଚ କାଟ କରିବାକୁ ରାଜ୍ୟ ସରକାର ଦେଇଛନ୍ତି ନିର୍ଦ୍ଦେଶ। ହେଲେ ଏହାରି ମଧ୍ୟରେ ବିବାଦ ଘେରକୁୁ ଆସିଛନ୍ତି ବିଜେଡିର ଟାଣୁଆ ନେତା ତଥା ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା।

କରୋନା ସମୟରେ ସରକାର ଖର୍ଚ୍ଚ କାଟ କରୁଥିବା ବେଳେ ହେଲିକପ୍ଟର ଉଡ଼ାଇ ବିବାଦରେ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା। ଦକ୍ଷିଣ ଓଡ଼ିଶା ଗସ୍ତରେ ଯାଇ ହେଲିକପ୍ଟରରେ ଉଡ଼ିଛନ୍ତି ସଞ୍ଜୟ। କରୋନା ସମୟରେ ରାଜ୍ୟ ସରକାର ଖର୍ଚ୍ଚ କାଟ ପାଇଁ କହୁଥିବା ବେଳେ ସଞ୍ଜୟଙ୍କ ବ୍ୟୟବହୁଳ ଗସ୍ତକୁ ନେଇ ବିରୋଧୀଙ୍କ ଅଭିଯୋଗ। ସରକାରୀ ଗସ୍ତରେ ଯାଇ ଦଳୀୟ କାର୍ଯ୍ୟକ୍ରମ କରିଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ବଳଭଦ୍ର ମାଝି।

ସେ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାର ଖର୍ଚ୍ଚ ଉପରେ କଟକଣା ଲଗାଇଛନ୍ତି ଏବଂ ଭିଡିଓ କନଫରେନ୍ସିଂରେ ମିଟିଙ୍ଗ କରିବାକୁ କହୁଛନ୍ତି। ତେବେ ଓଡ଼ିଶାବାସୀଙ୍କ ୬ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସଞ୍ଜୟଙ୍କୁ ଅନୁମତି ଦେଲା କିଏ ? ସେ କାର୍‌ରେ ମଧ୍ୟ ଆସିପାରିଥା’ନ୍ତେ। ସଞ୍ଜୟଙ୍କ ଦକ୍ଷିଣ ଓଡ଼ିଶା ଗସ୍ତ ନେଇ ଆଜି ଏପରି ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଂସଦ ବଳଭଦ୍ର ମାଝି।

ଶ୍ରୀ ମାଝି କହିଛନ୍ତି ଯେ, ୧୩ ରୁ ୧୮ ତାରିଖ ଦକ୍ଷିଣ ଓଡ଼ିଶା ଗସ୍ତରେ ଯାଇଥିଲେ ସଞ୍ଜୟ। ୧୮ ତାରିଖରେ ନବରଙ୍ଗପୁରରୁ ହେଲିକପ୍ଟରରେ ଭୁବନେଶ୍ୱର ଫେରିଥିଲ ସଞ୍ଜୟ ।ଏହି ସମୟରେ ଜନଗହଳ କରି ରାସନ କାର୍ଡ ବାଣ୍ଟିବା ଓ ଦଳୀୟ କାର୍ଯ୍ୟକ୍ରମ କରିଛନ୍ତି ବୋଲି ବିଜେପି ଅଭିଯୋଗ ଆଣିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି।

ଅପରପକ୍ଷେ ସଞ୍ଜୟ ଦାସବର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ପ୍ରଥମେ ଧନ୍ୟବାଦ ଜଣେଇବି ବିଜେପିର ବିଧାୟକ ନିତ୍ୟାନନ୍ଦ ଗଣ୍ଡକୁ। ସେ ମୋ ସହିତ ଅନେକ ବ୍ଲକ ଗସ୍ତ କରିଥିଲେ, ମିଳିତ ଭାବରେ ଲୋକଙ୍କ ଦୁଃଖସୁଖ ବୁଝିଥିଲୁ ଜିଲ୍ଲା ସ୍ତରରେ କୋଭିଡ ମୁକବିଲାକୁ ନେଇ ତଦାରଖ କରିଥିଲୁ। ଦୁର୍ଭାଗ୍ୟର ଘଟଣା ତିନି ଦିନ ତଳର ଘଟଣାକୁ କାହିଁକି ବିଜେପି ରାଜନୈତିକ ରୂପ ଦେଉଛି ବୋଲି ସେ କହିଛନ୍ତି।

Comments are closed.