Odisha Link
Bridging the Missing Links in Odisha

ରାଜସ୍ଥାନ ରାଜନୀତି: ସୁପ୍ରିମକୋର୍ଟର ଦ୍ବାରସ୍ତ ହେଲେ ବାଚସ୍ପତି

ଜୟପୁର: ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଏବେ ସୁପ୍ରିମକୋର୍ଟରେ। ବାଚସ୍ପତି ସିପି ଯୋଶୀ ହାଇକୋର୍ଟଙ୍କ ନିର୍ଦ୍ଦଶେକୁ ବିରୋଧ କରି ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍‌ ପିଟିଶନ(ଏସଏଲପି) ଦାଖଲ କରିଛନ୍ତି। ଆଡଭୋକେଟ ସୁନିଲ ଫର୍ଣ୍ଣାଡିସଙ୍କ ଜରିଆରେ ଏହି ଆବେଦନ କରାଯାଇଛି।

ଯେକୌଣସି ବିଧାୟକଙ୍କୁ ନୋଟିସ ପଠାଇବା ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାର ସମ୍ପୂର୍ଣ୍ଣ ଅଧିକାର ବାଚସ୍ପତିଙ୍କ ନିକଟରେ ରହିଛି। ହାଇକୋର୍ଟ ବାଚସ୍ପତିଙ୍କ କ୍ଷମତା ଉପରେ ହସ୍ତକ୍ଷେପ କରିଥିବାରୁ ବାଚସ୍ପତି ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଛନ୍ତି।

ବାଚସ୍ପତି କହିଛନ୍ତି, ମୁଁ ସଂସଦୀୟ ଲୋକତନ୍ତ୍ର ନିୟମ ଅଧୀନରେ ମୋ କାର୍ଯ୍ୟ କରିଛି। ସୁପ୍ରିମକୋର୍ଟଙ୍କ ସମସ୍ତ ନିର୍ଦେଶାବଳୀ ପାଳନ କରିଛି। ଯଦି ମୁଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି, ତେବେ କୋର୍ଟ ଏହା ଉପରେ ବିଚାର କରିପାରନ୍ତି। ମୋର କେବଳ ଏତିକି କହିବାର ଅଛି ଯେ, ବିଧାନସଭା ଅଧ୍ୟକ୍ଷଙ୍କ କାମରେ କୌଣସି ପ୍ରକାର ହସ୍ତକ୍ଷେପ କରା ନ ଯାଉ।

ରାଜସ୍ଥାନର କଂଗ୍ରେସ ସରକାରରେ ବିଦ୍ରୋହ ସୃଷ୍ଟି କରିଥିବା ସଚିନ ପାଇଲଟ୍‌ ଓ ତାଙ୍କର ୧୮ ସମର୍ଥକ ବିଧାୟକଙ୍କୁ ବାଚସ୍ପତି ନୋଟିସ ଜାରି କରିବା ସହିତ କାହିଁକି ସେମାନଙ୍କୁ ଅଯୋଗ୍ୟ ଘୋଷିତ କରାଯିବ ନାହିଁ ତାହାର ଜବାବ ଦେବାକୁ କହିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ପାଇଲଟ୍‌ ଗୋଷ୍ଠୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗତ ମଙ୍ଗଳବାର ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଏହା ସହିତ ପାଇଲଟ୍‌ ଗୋଷ୍ଠୀ ଉପରେ ଆସନ୍ତ ୨୪ ତାରିଖ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ବାଚସ୍ପତିଙ୍କୁ ନିର୍ଦେଶ ଦେଇଛନ୍ତି।

Comments are closed.