Odisha Link
Bridging the Missing Links in Odisha

କାରୋନା ଶହୀଦଙ୍କ ପିଲାଙ୍କୁ କିଟ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ ନିଃଶୁଳ୍କ ଶିକ୍ଷା

ଭୁବନେଶ୍ବର: କରୋନା ଯୋଦ୍ଧାଙ୍କର ମୃତ୍ୟୁ ହେଲେ ସେମାନଙ୍କୁ ଶହୀଦ ଘୋଷଣା କରାଯିବ ବୋଲି ଗତ ଏପ୍ରିଲ ମାସରେ ଘୋଷଣା କରିଥିଲେ ରାଜ୍ୟ ସରକାର। ଏପରିକି ସେମାନଙ୍କୁ ସମ୍ମାନ ପ୍ରଦର୍ଶନ ସହ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ଆଉ କେଇପାଦ ଆଗେଇଯାଇ ସେମାନଙ୍କର ପିଲାମାନଙ୍କ ଲାଗି ମାଗଣା ଶିକ୍ଷା ଯୋଗାଇଦେବାକୁ ଘୋଷଣା କରିଛନ୍ତି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ।

ଓଡ଼ିଶା, ଭରତ ଓ ସମଗ୍ର ବିଶ୍ଵରେ କାରୋନା ମହାମାରୀ ଆତଙ୍କ ଖେଳାଇ ଦେଇଥିବା ବେଳେ ସମଗ୍ର ବିଶ୍ଵ ଏଥିରେ ଆକ୍ରାନ୍ତ ହୋଇଛି। ଆମ ରାଜ୍ୟ ମଧ୍ୟ ଏଥିରୁ ବାଦ ପଡିନାହିଁ। ଓଡ଼ିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ରାଜ୍ୟରେ ଶତାଧିକ ବ୍ୟକ୍ତିଙ୍କର କାରୋନାରେ ମୃତ୍ୟୁ ଘଟିଛି। ବିଭିନ୍ନ ପ୍ରକୃତିକ ବିପର୍ଯ୍ୟୟ ସମୟରେ କିଟ୍ ବିଶ୍ୱବିଦ୍ୟାଳୟ ସର୍ବଦା ଲୋକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସିଥାଏ। କିଟ୍ ବିଶ୍ୱବିଦ୍ୟାଳୟ ସର୍ବଦା ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ, କାରଣ ଏହି ଅନୁଷ୍ଠାନ ହେଉଛି ଓଡ଼ିଶାବାସୀଙ୍କର ବୋଲି କହିଛନ୍ତି ଡ. ସାମନ୍ତ। କାରୋନା ମହାମାରୀ ଓଡ଼ିଆ ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଥିବା ବେଳେ ଦୁଃଖରେ ଥିବା କାରୋନା ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛି କିଟ ବିଶ୍ୱବିଦ୍ୟାଳୟ। ଡ. ସାମନ୍ତଙ୍କ ଅନୁରୋଧ କ୍ରମେ କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। କିଟ୍ ବିଶ୍ଵବିଦ୍ୟାଳୟର ନିଷ୍ପତି ଅନୁସାରେ ଓଡ଼ିଶାରେ କାରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର କୌଣସି ପୁଅ ବା ଝିଅ କିଟ୍‌ରେ ବୈଷୟିକ ଉଚ୍ଚ ଶିକ୍ଷା ପାଇଁ ଯଦି ଆଗ୍ରହୀ ଥା#ନ୍ତି, ତେବେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ସେମାନଙ୍କୁ କିଟ୍ ବିଶ୍ଵବିଦ୍ୟାଳୟରେ ଯେ କୌଣସି ବୈଷୟିକ (ଟେକନିକାଲ) ଓ ବୃତ୍ତିଗତ (ପ୍ରୋଫେସନାଲ) ପାଠ୍ୟକ୍ରମରେ ସଂପୂର୍ଣ୍ଣ ମାଗଣାରେ ପଢିବାର ସୁଯୋଗ ଦିଆଯିବ ।

ଆସନ୍ତା ଦୁଇ ଶିକ୍ଷାବର୍ଷ ୨୦୨୦-୨୧, ୨୦୨୧-୨୨ ବର୍ଷ ପାଇଁ ଏହା ଲାଗୁ ହେବ ବୋଲି କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। କିଟ୍‌ରେ ଆଇଟିଆଇ, ଡିପ୍ଲୋମା ଇଞ୍ଜିନିୟରିଂ ସମେତ କିଟ୍ ବିଶ୍ଵବିଦ୍ୟାଳୟର ସମସ୍ତ ବୈଷୟିକ ଶିକ୍ଷା (ଟେକନିକାଲ ଏଜୁକେଶନ) ଓ ବୃତ୍ତିଗତ ଶିକ୍ଷା (ପ୍ରୋଫେସନାଲ ଏଜୁକେଶନ) ପାଠ୍ୟକ୍ରମରେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ଆବେଦନ କାଲେ ସେମାନଙ୍କୁ ଏହି ସୁବିଧା ମିଳିବ। ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ), ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ। କାରୋନା ମହାମାରୀ ସମୟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କାରୋନାରେ ଅସହାୟ ହୋଇପଡିଥିବା ଓଡିଶାବାସୀଙ୍କୁ କିଛିଟା ଆଶ୍ଵସ୍ତି ଦେବ ବୋଲି ପ୍ରତିଷ୍ଠାତା ଡ. ସାମନ୍ତ ସୂଚନା ଦେଇଛନ୍ତି। କାରୋନା ମୃତକଙ୍କ ପିଲାଙ୍କୁ ସଂପୂର୍ଣ୍ଣ ମାଗଣା ବୈଷୟିକ ଶିକ୍ଷା ଓ ବୃତ୍ତିଗତ ଶିକ୍ଷା ପାଇଁ ସୁଯୋଗ ଦେବାରେ କିଟ୍ ବିଶ୍ଵର ଏକମାତ୍ର ଅନୁଷ୍ଠାନ ବୋଲି କୁହାଯାଉଛି।

Comments are closed.