ଆରବିଆଇର ନିଷ୍ପତ୍ତି : ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ନୂଆଦିଲ୍ଲୀ: ଶେଷ ହେଲା ମନିଟାରି ପଲିସି କମିଟି’ର ୨୪ତମ ବୈଠକ। ୩ଦିନ ଧରି ଚାଲିଥିବା ଏହି ବୈଠକର ଶେଷ ଦିନରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ମୁଦ୍ରାନୀତି ସମ୍ପର୍କରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।
ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କୋଭିଡ଼ ୧୯ ସ୍ଥିତିକୁ ଆଖିଆଗରେ ରଖି ରେପୋ ହାର ଅପରିବର୍ତ୍ତିତ ରଖାଯାଇଛି। ରେପୋ ରେଟ ୪% ରଖାଯାଇଛି ବୋଲି ସେ କହିଛନ୍ତି।
ବିଶ୍ୱ ଅର୍ଥନୀତିରେ ଏବେବି ସୁଧାର ଆସିନାହିଁ । ବାସ୍ତବ ଜିଡ଼ିପି ଅଭିବୃଦ୍ଧି ନକରାତ୍ମକ ରହିଛି । କୋଭିଡ-୧୯ ସଂକ୍ରାନ୍ତରେ ସକରାତ୍ମକ ଖବର ଆସିଲେ ସ୍ଥିତି ବଦଳିପାରିବ। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ କିନ୍ତୁ ପରେ ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଛି। କରୋନା ପାଇଁ ଖାଦ୍ୟ ମୂଲ୍ୟସ୍ଫୀତି ବୃଦ୍ଧି ପାଇଛି । ଭଲ ମୌସୁମୀ ପାଇଁ ଖରିଫ ଚାଷ ବଢ଼ିଥିବାରୁ ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଛି ବୋଲି ଶ୍ରୀ ଦାସ କହିଛନ୍ତି।
ଅପରପକ୍ଷରେ ଆରବିଆଇର ମୁଦ୍ରା ନୀତି ସମ୍ପର୍କରେ ଘୋଷଣା ପୂର୍ବରୁ ନିବେଶକମାନେ ଉତ୍ସାହିତ ହୋଇ ପଡ଼ିଥିଲେ। ଫଳରେ ସେନସେକ୍ସ ବୃଦ୍ଧି ପାଇଛି। କିନ୍ତୁ ବ୍ୟାଙ୍କର ନିଫ୍ଟି କିନ୍ତୁ ସାମାନ୍ୟ ହ୍ରାସ ପାଇଥିଲା।ଧିରେଧିରେ ବାଣିଜ୍ୟ କାରବାର ବୃଦ୍ଧି ପାଉଥିବାରୁ ଅର୍ଥନୀତିରେ ସୁଧାର ଆସିବ ବୋଲି ଆରବିଆଇ ଗଭର୍ଣ୍ଣର ଆଶା ପ୍ରକାଶ କରିଛନ୍ତି।
ସୂଚନାଥାଉକି.କରୋନା ମହାମାରୀକୁ ଆଖି ଆଗରେ ରଖି ଗତ ମାର୍ଚ୍ଚରେ ଆରବିଆଇ ତିନି ମାସ ପର୍ଯ୍ୟନ୍ତ ମୋରେଟୋରିୟମ ଘୋଷଣା କରିଥିଲେ। ଅର୍ଥାତ ଋଣ କିସ୍ତି ପଇଠ ପାଇଁ ମହଲତ ପ୍ରଦାନ କରାଯାଇଥିଲା । ପରେ ତାହାକୁ ପୁନଶ୍ଚ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମହଲତ ଦିଆଯାଇଥିଲା।