Odisha Link
Bridging the Missing Links in Odisha

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବି କଲେ ବଲିଉଡ ଷ୍ଟାର

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ବିତିଗଲାଣି। ମାତ୍ର ଏ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଏବଂ ତାଙ୍କ ଆତ୍ମହତ୍ୟା ପାଇଁ କିଏ ଦାୟୀ, ତାହା ସାମ୍ନାକୁ ଆସିପାରି ନାହିଁ। ନ୍ୟାୟ ପାଇବା ପାଇଁ ତାଙ୍କ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ତାଙ୍କ ପରିବାରବର୍ଗ କ୍ରମାଗତ ଭାବରେ ସିବିଆଇ ତଦନ୍ତ ପାଇଁ ଦାବି କରି ଆସୁଛନ୍ତି। ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ, ସୋସିଆଲ୍ ମିଡିଆରେ ସୁଶାନ୍ତ ମାମଲାକୁ ସିବିଆଇ ଯାଞ୍ଚ କରିବାର ଅଭିଯାନ ଚଲାଯାଉଛି। ଏବେ ଏହାକୁ ବଲିଉଡ ଷ୍ଟାରମାନେ ଏହାକୁ ସମର୍ଥନ କରୁଛନ୍ତି। କୃତି ସାନନ ଏବଂ କଙ୍ଗନା ରଣଓ୍ବତଙ୍କ ପରେ ବରୁଣ ଧଓ୍ବନ, ମୌନି ରାୟ ଏବଂ ଅମୀଷା ପଟେଲ୍ ମଧ୍ୟ ସୁଶାନ୍ତ ମାମଲାର ସିବିଆଇ ଯାଞ୍ଚ ହେଉ ବୋଲି ଦାବି କରିଛନ୍ତି।

ବରୁଣ ଧଓ୍ବନ, ଅମିଷା ପଟେଲ୍ ଏବଂ ମୌନି ରାୟ ନିଜ ଇନଷ୍ଟାଗ୍ରାମରେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ସିବିଆଇ ଦ୍ବାରା କରାଇବାର ଅଭିଯାନକୁ ସମର୍ଥନ କରିଥିଲେ।  ସେହିପରି କ୍ରିତି ନିଜ ପୋଷ୍ଟରେ ଲେଖିଛନ୍ତି ଯେ,‘ ସେ ପ୍ରାର୍ଥନା କରୁଛନ୍ତି ଯେ ସତ ଶୀଘ୍ର ସାମନାକୁ ଆସୁ…ତାଙ୍କ ପରିବାର, ତାଙ୍କ ବନ୍ଧୁ ଏବଂ ପ୍ରଶଂସକ ସମସ୍ତେ ସତ ଜାଣିବାକୁ ଚାହୁଁଛନ୍ତି। ସେ ପ୍ରାର୍ଥନା କରୁଛନ୍ତି ଯେ ସିବିଆଇ ଏହାର ଯାଞ୍ଚ କରନ୍ତୁ ଯାହା ଦ୍ବାରା ଏଥିରେ କୌଣସି ପ୍ରକାରର ରାଜନୈତିକ ଏଜେଣ୍ଡା ସାମିଲ ନହେଉ। ଏହା ଦ୍ବାରା ପ୍ରକୃତ ଅର୍ଥରେ ସୁଶାନ୍ତଙ୍କ ପରିବାରକୁ ନ୍ୟାୟ ମିଳିପାରିବ। ଏହା ସହିତ କ୍ରିତି ସାନନ ନିଜ ପୋଷ୍ଟରେ #CBIForSSR ହ୍ୟାଶଟାଗ୍ ବ୍ୟବହାର ମଧ୍ୟ କରିଛନ୍ତି।

କଙ୍ଗନା ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ କଙ୍ଗନା ସୁଶାନ୍ତଙ୍କ ପାଇଁ ସିବିଆଇ ତଦନ୍ତ ଦାବି କରୁଛନ୍ତି। କଙ୍ଗନା ଏହି ଟ୍ବିଟ୍ ସହ ଲେଖିଛନ୍ତି ଯେ ମୁମ୍ବାଇ ପୋଲିସ୍ ସୁଶାନ୍ତଙ୍କ ମାମଲାର ଯାଞ୍ଚରେ ତରବର ହେଉଛି।

ଅଙ୍କିତା ଲୋଖଣ୍ଡେ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଅଙ୍କିତା କହୁଛନ୍ତି ଯେ ଦେଶ ଜାଣିବାକୁ ଚାହୁଁଛି ଯେ ପ୍ରକୃତରେ ସୁଶାନ୍ତ ସିଂହ ରାଜପୁତଙ୍କ ସହ କ’ଣ ହୋଇଥିଲା। ସୁଶାନ୍ତଙ୍କୁ ନ୍ୟାୟ ମିଳିବା ଉଚିତ୍। ଏହା ସହିତ ସେ #CBIforSSR ହ୍ୟାଶଟ୍ୟାଗ୍ ମଧ୍ୟ ବ୍ୟବହାର କରିଛନ୍ତି। ଭିଡିଓରେ ଅଙ୍କିତାଙ୍କ ହାତରେ ଏକ କାର୍ଡ଼ ରହିଛି ଯେଉଁଥିରେ ସୁଶାନ୍ତଙ୍କ ପାଇଁ ସିବିଆଇ ତଦନ୍ତର ଦାବି କରୁଛନ୍ତି।

Comments are closed.