କରୋନା: ଦିନକରେ ୧୦୦୭ ମୃତ, ଦେଶରେ ୨୪ ଲକ୍ଷ ଟପିଲା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସ୍ଥିତି। କ୍ରମାଗତ ଭାବେ ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଅଗଷ୍ଟ ମାସରେ ମଧ୍ୟ ଉପରମୁହାଁ କରୋନା ଗ୍ରାଫ୍। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୨୪ ଲକ୍ଷ ୬୧ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ନୂଆ ୬୪,୫୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୦୦୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ୫୫,୫୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ସକାଳ ୮ଟା ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪,୬୧,୧୯୦ ରେ ପହଁଞ୍ଚିଛି। ସେମଧ୍ୟରୁ ୪୮,୦୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୬,୬୧,୫୯୫ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ ଏପର୍ଯ୍ୟନ୍ତ ୧୭,୫୧,୫୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ଏକ ଆାଶ୍ବସ୍ତିକର ଖବର।
ସବୁଠୁ ବଡ଼କଥା ହେଲା ବର୍ତ୍ତମାନ ଦେଶରେ ଥିବା ସକ୍ରିୟ ଆକ୍ରାନ୍ତଙ୍କଠୁ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। ଯାହା ଦେଶବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଗତ କିଛି ଦିନ ହେବ ମୃତକଙ୍କ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।