Odisha Link
Bridging the Missing Links in Odisha

ଡିସେମ୍ବରରେ ହେବ ମେକ୍ ଇନ୍ ଓଡ଼ିଶା

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟର ସର୍ବବୃହତ ନିବେଶକ ସମ୍ମିଳନୀ ‘ମେକ୍ ଇନ୍ ଓଡ଼ିଶା’କୁ ନିର୍ଧାରିତ ସମୟରେ ଆୟୋଜନ କରାଯାଇପାରିବ ନାହିଁ। କାରୋନା ମହାମାରୀର ପ୍ରଭାବ ଜାରି ରହିଥିବାରୁ ଏହା ନିର୍ଧାରିତ ସମୟରେ ହେବାନାହାିଁ ଏହି ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ଜାରି ରହିଛି। ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକ ସହ ଡିଜିଟାଲ୍‌ ମାଧ୍ୟମରେ ଆଲୋଚନା କରାଯାଉଛି। ଏହାସତ୍ତ୍ବେ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି ଓ ଦରକାର ପଡ଼ିଲେ ଏହି ସମ୍ମିଳନୀକୁ ଡିସେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ମଧ୍ୟ ପ୍ରସ୍ତୁତ ଥିବା ଜଣାପଡ଼ିଛି। ବୃହତ ସଭା ସମ୍ମିଳନୀ ଆୟୋଜନ ସମ୍ଭବ ନହେଲେ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀକୁ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରିବା ବିଷୟରେ ମଧ୍ୟ ସରକାର ବିଚାର କରୁଛନ୍ତି। ଏହି ସମ୍ମିଳନୀ ଚଳିତ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। କିନ୍ତୁ କରୋନା ମହାମାରୀ ସବୁ କିଛି ଓଲଟ ପାଲଟ କରିବାକୁ ବସିଛି।

ଏନେଇ ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇ କହିଛନ୍ତି, ଚଳିତ ବର୍ଷ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ନିର୍ଧାରିତ ସମୟରେ ଆୟୋଜନ ହେବାର କମ୍ ସମ୍ଭାବନା ରହିଛି। ତେଣୁ, ଦରକାର ପଡ଼ିଲେ ସମ୍ମିଳନୀକୁ ଡିସେମ୍ବରରେ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରାଯିବ। ମହାମାରୀ ପରିସ୍ଥିତି ଓ ଅଂଶୀଦାରମାନଙ୍କ ସ୍ଥିତି ବିଚାରକୁ ନେଇ ସଠିକ୍ ପଦକ୍ଷେପ ଗ୍ରହଣ କରାଯିବ। ସାରା ବିଶ୍ୱର ବଡ଼ ବଡ଼ ଶିଳ୍ପପତିମାନଙ୍କୁ ସମ୍ମିଳନୀ ସହ ଯୋଡ଼ିବା ଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି। ଚଳତି ବର୍ଷ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ଆୟୋଜନ କରାଯିବ। ଏହି ସମ୍ମିଳନୀ ଜରିଆରେ ରାଜ୍ୟ ସରକାର ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମେକ୍ ଇନ୍ ଓଡ଼ିଶାର ଦ୍ବିତୀୟ ସଂସ୍କରଣକୁ ଜନତା ମଇଦାନ୍‌ରେ ଠାରେ ୨୦୧୮ରେ ଆୟୋଜନ କରାଯାଇଥିଲା। ସେଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି, ଆଦିତ୍ୟ ବିର୍ଲା ଗ୍ରୁପ୍‌ର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା, ବେଦାନ୍ତର ମୁଖ୍ୟ ଅନିଲ ଅଗ୍ରୱାଲ୍‌ଙ୍କ ଭଳି ଦେଶର ଅନେକ ଶିଳ୍ପପତି ଯୋଗ ଦେଇଥିଲେ। ସେହି ସଂସ୍କରଣରେ ରାଜ୍ୟକୁ ୪,୧୯,୫୭୪ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା।

Comments are closed.