Odisha Link
Bridging the Missing Links in Odisha

ଜଳ ସଂକଟକୁ ଦୂର କରିବା ପାଇଁ ମୋଦି ସରକାର : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ବର୍ଷ ବର୍ଷ ଧରି ରାଜ୍ୟରେ ଜଳର ଅଭାବ ଲାଗି ରହିଛି। ସେ ପିଇବା ହେଉ କିମ୍ବା ଚାଷ ପାଇଁ ହେଉ ଓଡ଼ିଶାରେ ଏହା ଏକ ବଡ ଆହ୍ୱାନ ସଦୃଶ ହୋଇଛି । ମୋଦି ସରକାର ଏହି ଆହ୍ୱାନକୁ ଦୂର କରିବା ସହ ରାଜ୍ୟର ସବୁ ଗାଁର ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଦିଗରେ କାମ କରୁଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀଙ୍କ ‘ଜଳ ଜୀବନ ମିଶନ’ ପ୍ରସଙ୍ଗରେ ଟ୍ୱିଟ୍ କରି କହିଛନ୍ତି ଯେ ଇଣ୍ଟିଗ୍ରେଟେଡ୍‌ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ(ଆଇଏମଆଇଏସ) ଅନୁସାରେ ପାନୀୟ ଜଳ ଓ ପରିମଳ ବିଭାଗର ତଥ୍ୟନୁଯାୟୀ ୨୦୧୯ ଡିସେମ୍ବର ୩୦ ସୁଦ୍ଧା ଓଡ଼ିଶାର ଗ୍ରାମାଞ୍ଚଳର ୮୧.୨୫ ଲକ୍ଷ ଘରୁ ମାତ୍ର ୪ ପ୍ରତିଶତରୁ କମ୍ ପରିବାର ପାଇପ୍ ଯୋଗେ ଜଳର ସୁବିଧା ପାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଗ୍ରାମାଞ୍ଚଳର ସମସ୍ତ ଘରକୁ ପାଇପରେ ପାଣି ପହଞ୍ଚାଇବା ପାଇଁ କାମ କରୁଛନ୍ତି।

ଓଡ଼ିଶାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟରେ ଜଳ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ପ୍ରୋତ୍ସାହନ ଯୋଗାଉଛନ୍ତି । ୨୦୨୦-୨୧ ଆର୍ଥୀକ ବର୍ଷ ‘ଜଳ ଜୀବନ ମିଶନ’ ଅଧୀନରେ ଓଡ଼ିଶାକୁ ୮୧୨ କୋଟି ଅନୁଦାନ ମିଳିଛି। ପୂର୍ବ ବର୍ଷ ଏହି ଯୋଜନାରେ ରାଜ୍ୟକୁ ୨୯୭ କୋଟି ଟଙ୍କା ମିଳିଥିଲା ବୋଲି ମତବ୍ୟକ୍ତ କରିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଆଜି ବିଶୁଦ୍ଧ ପାନୀୟ ଜଳ ଲୋକଙ୍କ ଦୈନଦିନ ଜୀବନର ଆଧାର ହୋଇଛି। ପାନୀୟ ଜଳ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମାଧାନ କରିବା ପାଇଁ ପ୍ରଧାମନ୍ତ୍ରୀ ମୋଦିଙ୍କ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ଆରମ୍ଭ ହୋଇଥିବା ‘ଜଳ ଜୀବନ ମିଶନ’ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ନୂଆ ଭାରତର କଳ୍ପନାକୁ ସାକାର କରିବା ପାଇଁ ଆଗ୍ରହ ସହକାରେ କାର୍ଯ୍ୟ କରୁଛନ୍ତି। ସ୍ୱଚ୍ଛତା ପରେ ଜଳ ସୁରକ୍ଷା ଆଙ୍କାକ୍ଷୀ ଭାରତର ନୂଆ ସଂକଳ୍ପ ହୋଇଛି । ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ପାନୀୟ ଜଳ ପହଞ୍ଚାଇବାର ଲକ୍ଷ୍ୟ ନେଇ ମୋଦି ସରକାର କାମ କରୁଛନ୍ତି।

ଦେଶର ନାଗରିକଙ୍କୁ ସଶକ୍ତ କରିବା, ଜୀବନଶୈଳିକୁ ସୁଗମ କରିବା ସହ ତୃଣମୂଳ ସ୍ତରରେ ଲୋକଙ୍କ ଜୀବନରେ ମୂଳଭୁତ ପରିବର୍ତ୍ତନ ଆଣିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନର ପ୍ରାଥମିକତାରେ ରହିଛି । ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କ ଆଙ୍କାକ୍ଷାକୁ ପୂରଣ କରିବା ପାଇଁ ନିରନ୍ତର କଟିବଦ୍ଧ ଥିବା ଐତହାସିକ ଲାଲକିଲ୍ଲାରୁ କହିଛନ୍ତି। ଆମେ ଦୈନିକ ୧ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ପହଞ୍ଚାଇବାରେ ସଫଳ ହୋଇଛୁ। ମୋଦି ସରକାର ବିଶୁଦ୍ଧ ପାଣିର ଉପଲବ୍ଧ ତଥା ଦେଶର ଗ୍ରାମାଞ୍ଚଳରେ ରହୁଥିବା ପରିବାର ମାନଙ୍କୁ ପାଇପ୍ ଯୋଗେ ଜଳ ଯୋଗାଇବା କାମକୁ ଯଥେଷ୍ଟ ଗୁରୁତ୍ୱ ଦେବା ସହ ଅଭିନବ ଉପାୟରେ କାର୍ଯ୍ୟ କରୁଛନ୍ତି । ସମସ୍ତ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପ ଘରୋଇ ଇସ୍ପାତର ଚାହିଦାକୁ ବଢ଼ାଇବ, ରୋଜଗାର ସୃଷ୍ଟି କରିବ ଏବଂ ମେକ୍ ଇନ୍ ଇଣ୍ଡିଆକୁ ସୁଦୃଢ଼ କରିବା ଭାରତ ନିର୍ମାଣ କଳ୍ପନାରେ ବଡ଼ ଯୋଗଦାନ ରହିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

Comments are closed.