Odisha Link
Bridging the Missing Links in Odisha

ବିଏମ୍‌ସିର ପେଡ୍ ଆଇସୋଲେସନ୍‌ ସୁବିଧା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଲକ୍ଷଣହୀନ କରୋନା ପଜିଟିଭଙ୍କ ପାଇଁ ପେଡ୍ ଆଇସୋଲେସନର ବ୍ୟବସ୍ଥା। ବିନା ଲକ୍ଷଣ ଥାଇ ପଜିଟିଭ୍‌ ବାହାରିଥିବା ରୋଗୀ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ଅନୁମତି ଦିଆଯାଉଛି। କିଛି କ୍ଷେତ୍ରରେ ଆଇସୋଲେସନ୍‌ରେ ରହିବାକୁ ଆକ୍ରାନ୍ତଙ୍କ ଘରେ ପର୍ଯ୍ୟାପ୍ତ ସୁବିଧା ରହୁନଥିବାରୁ। ପେଡ୍‌ କ୍ୱାରେଣ୍ଟାଇନ୍‌ ଭଳି ଲୋକେ ପେଡ୍‌ ଆଇସୋଲେସନ୍‌ରେ ରହିବାକୁ ଇଚ୍ଛା କରୁଛନ୍ତି। ଏସବୁ ବିଚାର କରି ବିଏମ୍‌ସି ପେଡ୍‌ ଆଇସୋଲେସନ୍‌ ସୁବିଧା ଆରମ୍ଭ କରିଛି। ଫଳରେ କରୋନା ଆକ୍ରାନ୍ତ ଏଣିକି ଟଙ୍କା ଦେଇ ହୋଟେଲରେ ରହିପାରିବେ।

କରୋନା ପଜିଟିଭଙ୍କ ପାଇଁ ୩ଟି ହୋଟେଲରେ ପେଡ୍ ଆଇସୋଲେସନର ବ୍ୟବସ୍ଥା କରାଯାଇଛି ବୋଲି ବିଏମ୍‌ସି ଟ୍ୱିଟ୍ କରି କହିଛି ।ଘାଟିକିଆ ସମ୍ ହସ୍ପିଟାଲ ପାଖରେ ଥିବା ଏମଏ ସମ୍ ପ୍ୟାଲେସ୍, ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଏମଏ ଗେଷ୍ଟହାଉସ୍ ଓ ଏମଏ କ୍ଲାସିକ ଇନ (ଡିଷ୍ଟ୍ରିକ୍ଟ ସେଣ୍ଟର)ରେ ଲୋକେ ପେଡ୍ ଆଇସୋଲେସନରେ ରହିପାରିବେ।

ଏମଏ ସମ୍ ପ୍ୟାଲେସ୍ ଓ ଏମଏ ଗେଷ୍ଟହାଉସରେ ଆଇସୋଲେସନରେ ରହିଲେ ଦିନକୁ ୧୨୯୯ ଟଙ୍କା ଦେବାକୁ ପଡିବ। ସେହିଭଳି ଏମଏ କ୍ଲାସିକ୍ ଇନ୍ ପାଇଁ ଦିନକୁ ୧୮୯୯ ଟଙ୍କା ଦେବାକୁ ହେବ। ସକାଳ ଜଳଖିଆ, ମଧ୍ୟାହ୍ନ ଖାଇବା ଓ ରାତି ଖାଦ୍ୟ ସହ ଦିନକୁ ୨ ଲିଟର ପାଣି ଯୋଗାଇ ଦିଆଯିବ । ଆକ୍ରାନ୍ତ ଯଦି ଆଉ କିଛି ଅତିରିକ୍ତ ଖାଦ୍ୟ ସାମଗ୍ରୀ ଅର୍ଡର କରିବେ ତାହା ପାଇଁ ଅଲଗା ଦେୟ ଦେବେ। ଏଥିସହ ହୋଟେଲର କୌଣସି ସାମଗ୍ରୀ ନଷ୍ଟ କଲେ ତାହା ନିଜକୁ ଭରଣା କରିବାକୁ ହେବ ବୋଲି ବିଏମସି ସର୍ତ୍ତ ରଖିଛି ।

ଆଇସୋଲେସନ୍ ଗାଇଡଲାଇନ୍ ଅନୁସାରେ ପରୀକ୍ଷା ପାଇଁ ନମୁନା ଦେବାଠାରୁ ସର୍ବନିମ୍ନ ୧୦ଦିନ ଏଠାରେ ରହିବାକୁ ହେବ। ବିଏମସି ପକ୍ଷରୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଦୁଇ ଜଣ ମେଡିକାଲ ଅଫିସରଙ୍କୁ ନିୟୋଜିତ କରାଯାଇଛି। ସେ ଆକ୍ରାନ୍ତଙ୍କ ଲକ୍ଷଣ ଦେଖିବା ପରେ ୧୦ରୁ ଅଧିକ ଦିନ ଆଇସୋଲେସନ୍ରେ ରହିବେ କି ନା, ସେ ନେଇ ପରାମର୍ଶ ଦେବେ।

୧୦ଦିନିଆ ବାଧ୍ୟତାମୂଳକ ଆଇସୋଲେସନ୍ ଅବଧି ପରେ ଆକ୍ରାନ୍ତଙ୍କୁ ପୁଣି ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ହେବ। ଆକ୍ରାନ୍ତ ଚାହିଁଲେ ଏହି ଆଇସୋଲେସନ୍ ଅବଧି ସରିବା ପରେ ଏହି କ୍ୱାରେଣ୍ଟାଇନ୍ ଅବଧି ମଧ୍ୟ ସଂପୃକ୍ତ ହୋଟେଲରେ ରହିପାରିବେ। ପେଡ୍ ଆଇସୋଲେସନ୍ ସୁବିଧା ପାଇଁ ହୋଟେଲକୁ ନିର୍ଦ୍ଧାରିତ ଦିନିକିଆ ଦେୟର ୫୦ପ୍ରତିଶତ ଅଗ୍ରୀମ ଟଙ୍କା ଦେବାକୁ ହେବ। ପେଡ୍ ଆଇସୋଲେସନ୍ରେ ରହୁଥିବା ଲୋକେ ସମସ୍ତ ଗାଇଡଲାଇନ୍ ଓ ପ୍ରୋଟୋକଲ୍କୁ ମାନିବେ। ନିଜ ସ୍ୱାସ୍ଥ୍ୟର ଯାଞ୍ଚ ନିଜେ କରିବା ପାଇଁ ତାଙ୍କୁ ଥର୍ମୋମିଟର ଓ ଅକ୍ସିମିଟର ଦିଆଯିବ। ସ୍ୱାସ୍ଥ୍ୟ ଖରାପ ଲାଗିଲେ ତୁରନ୍ତ ହୋଟେଲର ଫ୍ରଣ୍ଟ ଡେସ୍କ ବା ସଂପୃକ୍ତ ମେଡିକାଲ ଅଫିସରଙ୍କୁ ଜଣାଇବାକୁ କୁହାଯାଇଛି।

Comments are closed.