Odisha Link
Bridging the Missing Links in Odisha

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମବାର୍ଷିକୀ, ରାହୁଲ କହିଲେ ଆପଣ..

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୬ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାହୁଲ ଆଜି ତାଙ୍କ ପିତାଙ୍କ କଥା ମନେ ପକାଇ ଭାବୁକ ହୋଇ ଲେଖିଛନ୍ତି ଯେ, ରାଜୀବ ଗାନ୍ଧୀ ତାଙ୍କ ସମୟରେ ଜଣେ ଆଗୁଆ ଚିନ୍ତାଧାରା ବ୍ୟକ୍ତିତ୍ୱ ଥିଲେ। ସେ ଜଣେ ଦୟାଳୁ ଏବଂ ସ୍ନେହୀ ବ୍ୟକ୍ତି। ତାଙ୍କୁ ପିତା ଭାବରେ ପାଇ ମୁଁ ନିଜକୁ ଭାଗ୍ୟବାନ ମନେ କରେ। ଆମେ ତମକୁ ଆଜି ଆଉ ପ୍ରତିଦିନ ମନେ ପକାଉ ବୋଲି ରାହୁଲ ଟୁଇଟ କରି ଲେଖିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟୁଇଟ କରି କହିଛନ୍ତି ଯେ, ଜନ୍ମ ଜୟନ୍ତୀ ଅବସରରେ ମୁଁ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଅଗଷ୍ଟ ୨୦, ୧୯୪୪ରେ ଜନ୍ମିତ ରାଜୀବ ଗାନ୍ଧୀ ୧୯୮୪ ରୁ ୧୯୮୯ ଯାଏଁ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ୧୯୯୧ ମସିହା ମେ ୨୧ ତାରିଖରେ ତାଙ୍କୁ ଏଲଟିଟିଇ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇ ତାମିଲନାଡୁ ଅନ୍ତର୍ଗତ ଶ୍ରୀପେରୁମ୍ବୁଦୁରଠାରେ ହତ୍ୟା କରିଥିଲା।

୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶରେ ନିରାଶା ଖେଳିଯାଇଥିଲା । ଲୋକମାନେ ଏପରି ପରିସ୍ଥିତିରୁ ବାହାରିବା ପାଇଁ ଚେଷ୍ଟା କରୁଥିଲେ ଏବଂ ସେ ସମୟରେ ଲୋକସଭା ନିର୍ବାଚନର ଫଳାଫଳ କଂଗ୍ରେସ ପକ୍ଷରେ ଆସିଥିଲା। ଦେଶର ଲୋକମାନେ ରାଜୀବ ଗାନ୍ଧୀଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଉତ୍ତରାଧୀକାରୀ ଓ ନିଜର ପ୍ରଧାନମନ୍ତ୍ରୀ ରୂପେ ବାଛିଥିଲେ । ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ୫ ବର୍ଷରେ ଦେଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଯାହା ଦେଶ ପାଇଁ ଅନେକ ପରିବର୍ତ୍ତନ ଆଣିଥିଲା। ରାଜୀବ ଗାନ୍ଧୀ ଇନକମ ଓ କର୍ପୋରଟ ଟ୍ୟାକ୍ସ ହଟାଇଥିଲେ । ଲାଇସେନ୍ସ ସିଷ୍ଟମକୁ ସରଳ କରିଥିଲେ। କମ୍ପ୍ୟୁଟର, ଡ୍ରଗ୍ସ ଓ ଟେକ୍ସଟାଇଲ କ୍ଷେତ୍ରରେ ସରକାରୀ ନିୟନ୍ତ୍ରଣ ଶେଷ କରିଥିଲେ । ନିବେଶକଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ।

ଜାଣନ୍ତୁ ଦେଶ ପାଇଁ ରାଜୀବ ଗାନ୍ଧୀଙ୍କ ୫ଟି ଯୋଗଦାନ ବିଷୟରେ
* ରାଜୀବ ଗାନ୍ଧୀ ଅର୍ଥବ୍ୟବସ୍ଥାକୁ ବଢ଼ାଇବା ପାଇଁ ନିବେଶକଙ୍କୁ ସୁଯୋଗ ଦେଇଥିଲେ
*୧୯୮୮ରେ ତାଙ୍କର ଚୀନ ଯାତ୍ରା ଐତିହାସିକ ଥିଲା
*ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ପାଇଁ ସ୍ୱତନ୍ତ୍ର ଚେଷ୍ଟା କରିଥିଲେ
* ଆଗାମୀ ଦିନରେ ହେବାକୁ ଥିବା ଆଇଟି କ୍ରାନ୍ତିର ମୂଳଦୁଆ ରାଜୀବ ଗାନ୍ଧୀ ହିଁ ରଖିଥିଲେ
* ମତଦାନର ବସୟ ସୀମା ୧୮ ବର୍ଷ ଓ ଇଭିଏମ ଯନ୍ତ୍ରର ବ୍ୟବହାର ଆରମ୍ଭ କରିଥିଲେ

Comments are closed.