Odisha Link
Bridging the Missing Links in Odisha

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଆଜି ମୁମ୍ବାଇରେ ପହଞ୍ଚି ତଦନ୍ତ ଆରମ୍ଭ କରିବ ସିବିଆଇ

ପାଟନା: ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସମେତ ରାଜୀବ ନଗର ଥାନାରେ ଅଭିଯୋଗ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବ ସିବିଆଇ। ସିବିଆଇର ଏସଆଇଟି ଆଜି ମୁମ୍ବାଇ ପହଞ୍ଚି ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ହତ୍ୟାର ଭିତ୍ତିଭୂମିରେ ତଦନ୍ତ କରିବ। ତେବେ ପ୍ରଥମେ ରିୟା ଓ ତାଙ୍କ ପରିବାରର ବୟାନ୍ ରେକର୍ଡ଼ ହୋଇପାରେ।

ତଦନ୍ତ କରୁଥିବା ସିବିଆଇ ଟିମ୍ ପ୍ରଥମେ ଏହି ମୃତ୍ୟୁ ଦୃଶ୍ୟକୁ ରିକ୍ରିଏଟ କରିବ। ଏହା ସହିତ ମୁମ୍ବାଇ ପୋଲିସ କରିଥିବା ତଦନ୍ତର ରିପୋର୍ଟ ନେବ ସିବିଆଇ। ପାଟନା ପୋଲିସ ପ୍ରଥମେ ସବିଆଇକୁ ସମସ୍ତ ରିପୋର୍ଟ ହସ୍ତାନ୍ତର କରି ସାରିଛି। ସିବିଆଇ ଏହି ମାମଲାରେ ମହେଶ ଭଟ୍ଟ,ଆଦିତ୍ୟ ଚୋପ୍ରା,ଶେଖର କପୂର,ଅଙ୍କିତା ଲୋଖଣ୍ଡେ ଓ ସଞ୍ଜୟ ଲୀଲା ଭଂସାଲୀଙ୍କ ସମେତ ୫୬ ଲୋକଙ୍କୁ ପଚରାଉଚରା କରିପାରେ। ଏହା ବ୍ୟତୀତ ସୁଶାନ୍ତଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଏଫଏସଏଲ ରିପୋର୍ଟ ଏବଂ ଇଲେକ୍ଟ୍ରୋନିକ୍ସ ସାକ୍ଷୀ ମଧ୍ୟ ନେବ। ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା ଏବଂ ରିପୋର୍ଟ ଦେଇଥିବା ଡାକ୍ତରଙ୍କୁ ମଧ୍ୟ ପଚରାଉଚରା କରିବ ସିବିଆଇ।

ସୂଚନାଯୋଗ୍ୟ, ଗତକାଲି ସୁପ୍ରିମକୋର୍ଟ ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାରେ ସିବିଆଇକୁ ସବୁଜ ସଙ୍କେତ ଦେଇଛନ୍ତି। ଜଷ୍ଟିସ ଋଷିକେଶ କହିଛନ୍ତି ଯେ, ନିହାତି ଭାବରେ ଏହି ମାମଲା ମୁମ୍ବାଇ ପୋଲିସ ଅଧୀନରେ ଆସୁଛି। କିନ୍ତୁ ଦେଶର ପ୍ରତ୍ୟେକ ଲୋକ ସତ ଜାଣିବାକୁ ଚାହୁଁ ଥିବାରୁ କୋର୍ଟ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଉଛନ୍ତି।

Comments are closed.