Odisha Link
Bridging the Missing Links in Odisha

ଜୁଆଙ୍ଗଙ୍କ ଟଙ୍କା ହଡ଼ପ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ :ବିଜେପି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ‘ହାଉସିଂ ଫର୍ ଅଲ୍‌’ ଯୋଜନାରେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟସରକାର ଏହି ଜନ କଲ୍ୟାଣ ଯୋଜନାକୁ ଭଷ୍ଟ୍ରାଚାର ମାଧ୍ୟମରେ ଭଣ୍ଡୁର କରିବା ପାଇଁ ସମସ୍ତ ପ୍ରକାର ଷଡ଼ଯନ୍ତ୍ର ଆପଣାଇଛନ୍ତି। ବିଶେଷ କରି ଆଦିବାସୀ ବହୁଳ ଓଡ଼ିଶା ରାଜ୍ୟରେ ଆଦିବାସୀଙ୍କ ପାଇଁ ମୋଦି ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା କରିଥିଲେ ବି ସେମାନେ ସମସ୍ତ ପ୍ରକାରର ସୁବିଧାରୁ ବଞ୍ଚିତ ରହିଛନ୍ତି।

ଗତ କିଛି ଦିନ ଧରି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଲା ପଞ୍ଚାୟତ ଖରବା ଗାଁ ରେ ପ୍ରଧାନମବୀ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିଛି । ଏହି ଅଞ୍ଚଳର ୧୩ଟି ନିର୍ଦ୍ଦିଷ୍ଟ ଦୁର୍ବଳ ଜନଜାତି ଗୋଷ୍ଠୀ ବା ପି.ଭି.ଟି.ଜି ଅନ୍ତର୍ଭୃକ୍ତ ଜୁଆଙ୍ଗ ଜନଜାତି ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଅର୍ଥରେ ବ୍ୟାପକ ଆର୍ଥିକ ଅନିୟମିତତା ହେବାର ପ୍ରମାଣ ମିଳିଥିବାରୁ ବିଜେପିର ଏକ ପ୍ରତିନିଧୀ ଦଳ ସଂପୃକ୍ତ ଘଟଣାସ୍ଥଳକୁ ଯାଇ ତଦନ୍ତ କରି
ଫେରିଛନ୍ତି ।

ସାଧାରଣ ବାସଗୃହ ଯୋଗାଇ ଦେବା କହି ଜୁଆଙ୍ଗ ଜନଜାତିଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରାଯାଉଛି ଏବଂ ଆବାସ ଯୋଜନାରେ ମିଳୁଥିବା ଟଙ୍କାକୁ ହରି ଲୁଟ୍ କରାଯାଇଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା ଅଭିଯୋଗ କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ସୂଚନା ଅଧିକାର ତଥ୍ୟ ଅନୁସାରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଲା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୦୦ ଘରକୁ ଅନୁମୋଦନ ଦିଆଯାଇଛି। କିନ୍ତୁ ବାସ୍ତବରେ ଅନେକ ହିତାଧିକାରୀଙ୍କ ନାଁରେ ଅର୍ଥ ଆସିଥିଲେ ବି ବିଜେଡି ନେତା ଓ ସରକାରୀ ଅଧିକାରୀମାନେ ସଂପୃକ୍ତ ହିତାଧିକାରୀଙ୍କ ଏଟିଏମ ଓ ପାସୱାର୍ଡ ରଖି ଆଦିବାସୀଙ୍କ ଅର୍ଥକୁ ହରିଲୁଟ୍ କରିଛନ୍ତି। ଖରବା ଗାଁର ମମତା ଜୁଆଙ୍ଗ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ତାଙ୍କ ଘର ନିର୍ମାଣ ଆରମ୍ଭ ହୋଇନାହିଁ । ଉଷା ଜୁଆଙ୍ଗଙ୍କ ଘର ନିମଟାଲ ପର୍ଯ୍ୟନ୍ତ ଉଠିଥିବାର ଦର୍ଶାଇ ୧ ଲକ୍ଷ ଟଙ୍କା ଉଠାଯାଇଥିବାବେଳେ ତାଙ୍କ ଘର କେବଳ ପ୍ଲିନ୍ଥ କାମ ସରିଛି । ସେହିପରି ଆଉ ଜଣେ ହିତାଧିକାରୀ ରମେଶ ଜୁଆଙ୍ଗଙ୍କ ଘର ପ୍ଲିନ୍ଥ ଅସଂପୂର୍ଣ୍ଣ ଥିବାବେଳେ ତାଙ୍କ ନାଁରେ ଉଠାଯାଇଛି ୫୫ ହଜାର ଟଙ୍କା । ବାଦଲ ମହ୍ଲାର ଓ ଅନ୍ଧାର ମହ୍ଲାରଙ୍କୁ ନିମ୍ନ ମାନର କମ ଉଚ୍ଚତାରେ ଘର କରି ୧ ଲକ୍ଷ ଟଙ୍କା ସେମାନଙ୍କ ଠାରୁ ହଡପ କରାଯାଇଛି। ବିଜେଡି ଠିକାଦାର ଓ ସରକାରୀ ଅଧିକାରୀମାନେ ଏମିତି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରିଛନ୍ତି। ବାଘ ବକରୀ ଖେଳରେ ଆଦିବାସୀମାନେ ଶିକାର ହେଉଛନ୍ତି ।

Comments are closed.