Odisha Link
Bridging the Missing Links in Odisha

କରୋନା ଆଣିଲା ବିପତ୍ତି: ଶିକ୍ଷକ ସାଜିଲେ ରାସ୍ତାକଡ଼ର ବେପାରୀ

କଟକ: ମହାମାରୀ କରୋନା ଆଣି ଦେଇଛି ମଣିଷ ସମାଜ ପାଇଁ ବଡ଼ ବିପତ୍ତି। କରୋନାର କରାଳ ରୂପରେ ବାଜି ଲାଗିଛି ରୋଜଗାର। ରୋଜଗାର ଉପରେ ଲାଗିଛି କରୋନାର ନଜର। ଇତି ମଧ୍ୟରେ ନିଶ୍ଚିହ୍ନ ହୋଇଗଲାଣି ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା। ଏପରିକି ହଜାର ହଜାର ଲୋକଙ୍କ ଜୀବିକା ଓ ଜୀବନ ବାଜିରେ ଲାଗିଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଥ‌ିବା ବେଳେ ଅନ୍ୟପଟେ କରୋନା ଯୋଗୁଁ ଦେଶ ତଥା ରାଜ୍ୟରେ ରେକର୍ଡ ଭାଙ୍ଗୁଛି ବରୋଜଗାରୀ ସଂଖ୍ୟା। ଏପରି ସମୟରେ ଜୀବନ ବଞ୍ଚାଇବାକୁ କେବଳ ସାହାରା ସାଜିଛି ବ୍ୟବସାୟ।

କରୋନା ପାଇଁ ଅନେକ ଲୋକ ଜୀବିକା ହରାଇଥିବା ବେଳେ ଏଥିରୁ ବାଦ ପଡ଼ି ନାହାନ୍ତି ଶିକ୍ଷକ। ବେସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରୁଥିବା ଶିକ୍ଷକଙ୍କୁ ଆଜି ରାଜରାସ୍ତାକୁ ଆଣି ଦେଇଛି କରୋନା। ଯିଏ ହାତରେ ଚକ ଓ ପେନ ଧରି ଦେଶର ଭବିଷ୍ୟତଙ୍କୁ ଗଢ଼ୁଥିଲା ତାହା ହାତରେ ଆଜି ସାନିଟାଇଜର ବୋତଲ। ବିଦ୍ୟାଳୟର କ୍ଲାସ୍‌ରୁମ୍‌, କଳାପଟା, ବାରଣ୍ଡା ଛାଡି ରାଜରାସ୍ତାରେ ସାନିଟାଇଜର ବିକୁଛନ୍ତି କଟକର ରାକେଶ ଶତପଥୀ।

ଦେଶ ତଥା ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଏପରି ସ୍ଥିତିରେ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ କରିଦିଆଯାଇଛି। କରୋନାର କରାଳ ରୂପରେ ସରକାରୀ ଶିକ୍ଷକମାନଙ୍କୁ ତ ଦରମା ମିଳିଯାଉଛି ହେଲେ ବେସରକାରୀ ଶିକ୍ଷକଙ୍କ ବୃତ୍ତି ବୁଡାଇଛି କୋରୋନା। ପିଲାଙ୍କ ଭବିଷ୍ୟତ ସହ ଶିକ୍ଷକଙ୍କ ପରିବାରର ଭବିଷ୍ୟତ ପୋଷଣ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳରେ ବାଧ୍ୟ ହୋଇ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିବା ରାକେଶ ସାନିଟାଇଜର ବିକୁଛନ୍ତି। କଟକର ଛକ ଛକ ବୁଲି ଏବେ ସାନିଟାଇଜର ଓ ମାସ୍କ ବ୍ୟବସାୟ କରୁଛନ୍ତି। ଏହାଦ୍ୱାରା ତାଙ୍କର ପରିବାର ପୋଷଣ ହେଉଥିବା ରାକେଶ କହିଛନ୍ତି।

ଏଥିସହ ସେ ଖାଲି ସମୟରେ ସମ୍ଭାବନା କେନ୍ଦ୍ରରେ ମାଗଣାରେ ମଧ୍ୟ ଶିକ୍ଷା ଦାନ କରୁଥିଲେ। କିନ୍ତୁ କୋରୋନା ଏବେ ସବୁକିଛି ବିଗାଡି ଦେଇଛି। ଏହି ସ୍ବଳ୍ପ ଆୟରୁ ବର୍ତ୍ତମାନ ସେ ସମ୍ଭବାନ ଶିକ୍ଷାନୁଷ୍ଠାନକୁ ଭଡା ଦେବା ସହ ପିଲାଙ୍କ ପାଠ ପଢାପଢି ଖର୍ଚ୍ଚକୁ ବହୁ କଷ୍ଟମଷ୍ଟେ ବୁଝାବୁଝି କରୁଛନ୍ତି। ଆଗକୁ ଯଦି ଏପରି ପରିସ୍ଥିତି ଲାଗି ରହେ ତେବେ ଏହି ବେପାରରେ ପିଲାଙ୍କ ଓ ପରିବାର ଭରଣାପୋଷଣ କରିବା କାଠିକର ପାଠ ହୋଇଯିବ ବୋଲି ସେ କହିଛନ୍ତି।

Comments are closed.