Odisha Link
Bridging the Missing Links in Odisha

୮ ମାସ ଧରି ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ, ପୀଡ଼ିତା ଗର୍ଭବତୀ

ରାୟଗଡ଼ା: ରାଜ୍ୟରେ ଥମୁନି ଗଣଦୁଷ୍ମର୍ମ ମାମଲା। ଦିନକୁ ଦିନ ରାଜ୍ୟରେ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ଏବେ ଆଉ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମ ଶିକାର ହୋଇଛନ୍ତି। ଆଦିବାସୀ ନାବାଳିକା ଜଣକ ହେଉଛନ୍ତି ଗୁଣପୁର ଥାନା ଅଞ୍ଚଳର।

ଦିନକେ ୨ ଦିନ ନୁହେଁ ୮ ମାସ ଧରି ଗଣଦୁଷ୍କର୍ମ ଶିକାର ହୋଇଛନ୍ତି ନାବାଳିକା। ଏହି ଗଣଦୁଷ୍କର୍ମରେ ଜଣେ କି ୨ ଜଣ ନୁହଁ ସଂପୃକ୍ତ ଅଛନ୍ତି ୬ ଯୁବକ। ୮ ମାସ ଧରି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ବିଭିନ୍ନ ସମୟରେ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏବେ ୬ ମାସର ଗର୍ଭବତୀ ଥିବା ମଧ୍ୟ ଜଣାପଡ଼ିଛି। ଏଖବର ଜାଣିବା ପରେ ପୁଲିସ୍ ଗୁଣପୁର ମେଡିକାଲରେ ନାବାଳିକାର ଡାକ୍ତରୀ ମାଇନା କରିଛି। ଘଟଣାରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ପୁଲିସ୍ ଉଠାଇ ଆଣି ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଖବର ମିଳିଛି।

ରାମନାଗୁଡ଼ା ବ୍ଲକ୍ ଗୁଲୁମୁଣ୍ଡା ପଞ୍ଚାୟତର ଆଦିବାସୀ ନାବାଳିକା ଗତ ୮ ମାସ ତଳେ ଗାଁ ନିକଟ ନାଳକୁ ଗାଧୋଇବାକୁ ଯାଇଥିଲେ। ନାବାଳିକା ଜଣଙ୍କ ଏକାକି ଗାଧୋଉଥିବା ସମୟରେ ପଣସଗୁଡା ଗାଁର ୫ ଯୁବକ, ବନ୍ଧଗୁଡା ଗାଁର ଜଣେ ଯୁବକ ନାବାଳିକାକୁ ଜୋର ଜବରଦସ୍ତି ପାଖ ଜଙ୍ଗଲକୁ ଉଠାଇ ନେଇଥିଲେ। ଜଙ୍ଗଲରେ ଜଣେ ପରେ ଜଣେ ଗଣଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କୁ ଛାଡ଼ି ଦେଇଥିଲେ। ଘଟଣା ସଂପର୍କରେ କାହାକୁ ନ କହିବାକୁ ଅଭିଯୁକ୍ତମାନେ ନାବାଳିକାଙ୍କୁ ଚେତାବନୀ ଦେଇଥିଲେ। ଭୟରେ ନାବାଳିକା ଜଣଙ୍କ ଘଟଣା ସଂପର୍କରେ କାହାକୁ କିଛି କହି ନଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ନାବାଳିକାକୁ ଭୟଭୀତ କରି ପୃଥକ ପୃଥକ ଭାବେ ବିଭିନ୍ନ ସ୍ଥାନରେ ଗଣଦୁଷ୍କର୍ମ କରି ଆସୁଥିଲେ।

କିଛି ଦିନ ତଳେ ନାବାଳିକାଙ୍କ ସ୍ବାସ୍ଥ୍ୟବସ୍ଥାକୁ ଦେଖି ପରିବାର ଲୋକ ସନ୍ଦେହ କରିଥିଲେ। ଗତ ଦୁଇ ଦିନ ତଳେ ନାବାଳିକାଙ୍କ ମାଆ ଆଶାକର୍ମୀଙ୍କ ସହାୟତାରେ ଗୁଣପୁର ମେଡିକାଲକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ନାବାଳିକା ୬ ମାସର ଗର୍ଭବତୀ ଥିବା ଜଣା ପଡ଼ିଥିଲା। ପରିବାର ଲୋକ ନାବାଳିକାଙ୍କୁ ପଚରା ଉଚରା କରି ଘଟଣା ସଂପର୍କରେ ଜାଣିବା ପରେ ଅଙ୍ଗନବାଡ଼ିକର୍ମୀ ରାମନାଗୁଡ଼ା ସିଡିପିଓଙ୍କୁ ଘଟଣା ସଂପର୍କରେ ଅବଗତ କରିଥିଲେ। ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସିଡିପିଓ, ଗୁଲୁମୁଣ୍ଡା ସରପଞ୍ଚ ଲଳିତା ଶବର ଗତକାଲି ପଣସଗୁଡାରେ ପହଞ୍ଚି ପୀଡ଼ିତାଙ୍କ ସହ ଆଲୋଚନା କରିଥିଲେ।

ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଶିଶୁ ସୁରକ୍ଷା ଅଧିକାରୀ ସ୍ପଷ୍ଟ ହେବା ପରେ ଥାନାରେ ଅଭିଯୋଗ କରିବାକୁ ପୀଡ଼ିତାଙ୍କ ବାପାଙ୍କୁ କହିଥିଲେ। ପୀଡ଼ିତାଙ୍କ ବାପା ଗୁଣପୁର ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ କରିବା ସହ ଗତକାଲି ରାତିରେ ହିଁ ୬ ଅଭିଯୁକ୍ତଙ୍କୁ ଉଠାଇ ନେଇଥିଲା। ଗୁଣପୁର ଥାନାରେ ଏ ନେଇ କେସ୍ ନଂ-୧୪୭/୨୦୨୦ ରେ ମାମଲା ରୁଜୁ ହୋଇଛି। ପୋସ୍କୋ ଆଇନ ସହ ୩୭୬ ୨ ଏନ୍, ୩୭୬ (୩), ୩୭୬ (ବି) ଧାରା ଲଗାଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଗୁଣପୁର ଥାନା ଏସଆଇ ରୁଦ୍ରମାଧବ ମୁଦୁଲୀ ଘଟଣାର ତଦନ୍ତ କରୁଛନ୍ତି। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ପଣସଗୁଡାରେ ଚାଞ୍ଚଲ୍ୟ ଖେଳିଯାଇଛି।

ସମସ୍ତ ଅଭିଯୁକ୍ତକୁ ଥାନାରେ ପଚରା ଉଚରା କରିବା ପରେ ପୁଲିସ୍ ପୀଡ଼ିତା ନାବାଳିକାର ଡାକ୍ତରୀ ମାଇନା କରିଛି। ଅଭିଯୁକ୍ତମାନଙ୍କର ଡାକ୍ତରୀ ମାଇନା କରାଯିବ ବୋଲି ଗୁଣପୁର ଏସଡିପିଓ ରାଜ କିଶୋର ଦାଶ ସୂଚନା ଦେଇଛନ୍ତି।

Comments are closed.