ଜଳବନ୍ଦୀରେ ଯାଜପୁର, ୫୫୦ ଗାଁ ପ୍ରଭାବିତ

ଯାଜପୁର : ଜଳବନ୍ଦୀରେ ଯାଜପୁର। ଲଘୁଚାପ ବର୍ଷା ଓ ବନ୍ୟାରେ ଯାଜପୁର ଜିଲ୍ଲାର ୧୨୫ ପଞ୍ଚାୟତ ୫୫୦ ଗାଁ ଜଳମଗ୍ନ। ବୈତରଣୀ, କାଣୀ, ବ୍ରାହ୍ମଣି, ଖରସ୍ରୋତା ନଦୀରେ ୨୬ ଟି ବଡ଼ ବଡ଼ ଘାଇ ସୃଷ୍ଟି ହୋଇଛି। ଘାଇ କାରଣରୁ ବନ୍ୟା ଜଳ ଗ୍ରାମ ଓ କ୍ଷେତକୁ ପ୍ରବେଶ କରି ନାହିଁ ନଥିବା କ୍ଷତି ଘଟାଇଛି। ବିଶେଷ କରି ଯାଜପୁର, ଦଶରଥ ପୁର, ବରୀ, କୋରେଇ, ବଡ଼ଚଣା, ଧର୍ମଶାଳା, ଦାନଗଦି ଓ ସୁକିନ୍ଦାରେ ବନ୍ୟା ବ୍ୟାପକ କ୍ଷୟ କ୍ଷତି କରିଛି।
ବନ୍ୟା କାରଣରୁ ସାଢ଼େ ୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। 2ଟି ଓଡ୍ରାଫ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି। ପ୍ରଶାସନ ପକ୍ଷରୁ୧୨୭ ଟି ଅସ୍ଥାୟୀ ଶିବିରରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଅଛି। ମହାନଦୀରେ ବଡ଼ବନ୍ୟା ଆସୁଥିବାରୁ ବଡ଼ଚଣା ଓ ଧର୍ମଶାଳା ବ୍ଲକ୍ ପ୍ରତି ମଧ୍ୟ ଅଧିକ ବିପଦ ଆଶଙ୍କା କରାଯାଇଛି। ଉପର ମୁଣ୍ଡରେ ବର୍ଷା କମିଥିବା ବେଳେ ତଳ ମୁଣ୍ଡରେ ଅନେକ ସ୍ଥାନରେ ଘାଇ ହୋଇଯିବାରୁ ବୈତରଣୀ ,ବ୍ରାହ୍ମଣୀ ନଦୀ ଓ ତାର ଶାଖା ନଦୀଗୁଡ଼ିକ ଜଳସ୍ତର ହ୍ରାସ ପାଇବାରେ ଲାଗିଛି।