Odisha Link
Bridging the Missing Links in Odisha

ସେପ୍ଟେମ୍ବର ଶେଷ ସୁଦ୍ଧା ୟୁଜି ଓ ପିଜି ପରୀକ୍ଷା, ଅକ୍ଟୋବରରେ ରେଜଲ୍ଟ

ଭୁବନେଶ୍ୱର: ୟୁ.ଜି.ସି. ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ୍ ଶେଷ ବର୍ଷ ଏବଂ ପୋଷ୍ଟ୍ ଗ୍ରାଜୁଏଟ୍ ଶେଷବର୍ଷ ସେମିଷ୍ଟାରର ଫାଇନାଲ ପରୀକ୍ଷା ସେପ୍ଟମ୍ବର ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏଥିସହ ଅକ୍ଟୋବର ୩୧ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ କରାଯିବ। ଆଜି ଭିଡ଼ିଓ କନ୍‌ଫେର୍‌ନ୍ସ ମାଧ୍ୟମରେ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ୟୁ.ଜି.ସି. ମାର୍ଗଦର୍ଶିକା ଅନୁଯାୟୀ ଏହି ସମସ୍ତ ପରୀକ୍ଷା ଅଫଲାଇନ୍‌, ଅନ୍‌ଲାଇନ୍‌, ବ୍ଲେଣ୍ଡେଡ୍ (ଅନ୍‌ଲାଇନ୍ +ଅଫଲାଇନ୍‌) ମଲ୍ଟିପଲ୍ ଚଏସ୍, ଓପନ୍ ବୁକ୍ ଏବଂ ଓ.ଏମ୍‌.ଆର୍ ଆଦି ଯେକୌଣସି ଅନୁମୋଦିତ ପଦ୍ଧତିରେ କରାଯାଇପାରିବ। ସଂପୃକ୍ତ ବିଶ୍ୱ ବିଦ୍ୟାଳୟ ଓ ସ୍ୱଂୟଶାସିତ ମହାବିଦ୍ୟାଳୟଗୁଡ଼ିକ ଉପଯୁକ୍ତ ପରୀକ୍ଷା ପଦ୍ଧତି ବିଷୟରେ ସ୍ଥିର କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ୟୁ.ଜି.ସି. ମାର୍ଗଦର୍ଶିକା ଅନୁସାରେ ଯେଉଁ ଛାତ୍ରଛାତ୍ରୀମାନେ ଫାଇନାଲ ପରୀକ୍ଷା ଦେବାକୁ ଚାହିଁବେ ନାହିଁ କିମ୍ବା ଦେଇପାରିବେ ନାହିଁ, ସେମାନଙ୍କ ପାଇଁ କୋଭିଡ୍‌-୧୯ ପରିସ୍ଥିତି ସୁଧୁରିଲେ ବିଶ୍ୱବିଦ୍ୟାଳୟ କିମ୍ବା ସଂୟଶାସିତ ମହାବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ପରୀକ୍ଷା ବ୍ୟବସ୍ଥା କରାଯିବ। ପେନ୍ ଏବଂ ପେପର ମୋଡରେ ଡିସେମ୍ବର ୨୦୨୦ରେ ଏହି ପରୀକ୍ଷା କରାଯିବ। ଏଥିସହିତ ଫାଇନାଲ୍ ସେମିଷ୍ଟାର ବା ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ବ୍ୟାକ୍ ପେପର ପରୀକ୍ଷା କରାଯାଇ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଫଳ ପ୍ରକାଶ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Comments are closed.