Odisha Link
Bridging the Missing Links in Odisha

ବିଦେଶରେ ଓଡ଼ିଶା ଜାଗରଣର ସ୍ୱର ଝଙ୍କୃତ : ଓସା ଦ୍ୱାରା ନୂଆଖାଇ ପାଳନ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ହୋଇଥିଲେ ହେଁ ଏହା ସମଗ୍ର ଓଡ଼ିଶାର ମହାନ କଳା , ସଂସ୍କୃତି , ଐତିହ୍ୟ ଓ ପରମ୍ପରାର ନିଚ୍ଛକ ନିଦର୍ଶନ ଓ ପ୍ରଦର୍ଶନ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ସୋସାଇଟି ଅଫ ଆମେରିକା (ଓ.ଏସ .ଏ ) ଦ୍ୱାରା ପ୍ରଥମ ଥର ପାଇଁ ଆୟୋଜିତ ଇ- ନୂଆଖାଇ ମହୋତ୍ସବରେ ଉଦବୋଧନ ଦେଇ ଏହି ମହାନୁଭବମାନେ, ନୂଆଖାଇ ଭେଟଘାଟ , ଓଡ଼ିଆ ଜାତିର ପରିଚିତି , ପ୍ରତିପତ୍ତି , ପାରଦର୍ଶିତା ଓ ପରାକାଷ୍ଠାକୁ ବିଶ୍ୱ ଦରବାରରେ ପ୍ରତିପାଦିତ ଓ ପ୍ରମାଣିତ କରିବା ରେ ବଳିଷ୍ଠ ଭୂମିକା ଗ୍ରହଣ କରି ଆସିଥିବା ଉଲ୍ଲେଖ କରିଥିଲେ। ବିଦେଶର ବିଭିନ୍ନ ରାଷ୍ଟ୍ରରେ ତଥା ଆମେରିକା ଓ କାନାଡ଼ାର ସହର ମାନଙ୍କରେ ବସବାସ କରୁଥିବା ଓଡ଼ିଆ ମାନେ ସେମାନଙ୍କର ନିଜ ନିଜ ପେଶା କ୍ଷେତ୍ରରେ ସାଫଲ୍ୟର ଶିର୍ଷତ୍ଵ ଓ ଶ୍ରେଷ୍ଠତ୍ଵ ହାସଲ କରି ମାତୃପ୍ରଦେଶ ଓଡିଶା ଓ ମାତୃଭୂମି ଭାରତବର୍ଷ ପାଇଁ ଗର୍ବ ଓ ଗୌରବର ବାହକ ହୋଇଥିବା ବେଳେ, ନୂଆଖାଇ ପାର୍ବଣ ପାଳନ, ସେମାନଙ୍କୁ ଏକ ମନ, ଏକ ପ୍ରାଣ , ଏକ ଧ୍ୟାନ, ଏକ ସ୍ୱରରେ ଏକଜୁଟ ହୋଇ ମା ଉତ୍କଳ, ଦେବୀ ସମଲେଇ ଓ ପ୍ରଭୁ ଜଗନ୍ନାଥଙ୍କର ବନ୍ଦାପନା କରିବାର ଭରପୁର ସୁଯୋଗ ଜୁଟାଇଥିବା ସେମାନେ ଦର୍ଶାଇଥିଲେ। ବିଶେଷ କରି କରୋନା ମହାମାରୀର କରାଳ ଛାୟାରେ ସମଗ୍ର ବିଶ୍ୱ କବଳିତ ହୋଇଥିବା ବେଳେ ଓ.ଏସ. ଏ. ର ସଭାପତି କୁକୁ ଦାସ ଓ ତାଙ୍କର ଟିମଙ୍କ ନେତୃତ୍ୱରେ ଆବଶ୍ୟକୀୟ ସ୍ୱାସ୍ଥ୍ୟଗତ ଅନୁଶାସନ ପାଳନ ପୂର୍ବକ , ଏଭଳି ଏକ ୱେବ ସମାରୋହର ଭବ୍ୟ ଆୟୋଜନ କରାଯାଇଥିବାରୁ ଅତିଥିମାନେ ତାଙ୍କର ଭୁରି ଭୁରି ପ୍ରସଂଶା କରିଥିଲେ। ପ୍ରକୃତରେ କୋଭିଡ ର ଅଭୂତପୂର୍ବ ସଂକଟକୁ ଶ୍ରୀମତୀ ଦାସ ଓ ଓ.ଏସ.ଏ. ର କର୍ମକର୍ତା ମାନେ ଏକ ଭରପୁର ଅବସରରେ ପରିଣତ କରି ଅନଲାଇନ ଜରିଆରେ ସାରା ପୃଥିବୀର ଓଡ଼ିଆ ମାନଙ୍କୁ ଏକତ୍ର ଯୋଡ଼ିବାରେ ସଫଳ ହୋଇଥିବାରୁ ବକ୍ତାମାନେ ଏହି ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ|

“ନୂଆଖାଇ ଜୁହାର ” ନାମରେ ନାମିତ ଏହି ନିଆରା ତ୍ବହାର ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରସିଦ୍ଧ କୋଶଳୀ କବି ପଦ୍ମଶ୍ରୀ ହଳଧର ନାଗ ତାଙ୍କର ସ୍ୱରଚିତ କିଛି ବଛା ବଛା କବିତା ଖୁବ ଜୀବନ୍ତ ଓ ପ୍ରାଞ୍ଜଳ ଭାବରେ ଆବୃତ କରି ସମସ୍ତଙ୍କୁ ଚମତକୃତ କରିଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ରାଜ୍ୟର ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରକୃତି ଓ ମାନବ ସମାଜର ନିବିଡ଼ ,ନିରନ୍ତର ତଥା ଚିରନ୍ତନ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ବରିଷ୍ଠ ପ୍ରସାଶକ ଡ଼ ଅରବିନ୍ଦ ପାଢ଼ୀ ତୁଙ୍ଗ ଶିଖର ଚୂଳ , କୁଞ୍ଜ କାନନ ମାଳ ତଥା ଉନ୍ନତ କଳା ସଂସ୍କୃତିରେ ପରିପୃଷ୍ଟ ଓ ପରିଶୋଭିତ ଓଡ଼ିଶାର ପଶ୍ଚିମାଞ୍ଚଳ ର ସବୁଠୁ ବଡ ପର୍ବ ନୂଆଖାଇ ପରିପ୍ରେକ୍ଷୀରେ ସମସ୍ତଙ୍କୁ ଶୁଭ କାମନା ଜଣାଇଥିଲେ। ବୈଠକରେ କଟକରୁ ସାମିଲ ହୋଇଥିବା ଅନ୍ୟତମ ବକ୍ତା କର୍ନେଲ ସୁରେନ୍ଦ୍ର ନାଥ ମହାନ୍ତି , ହଳଧର ନାଗ ଜଣେ ଅନନ୍ୟ ପ୍ରତିଭାବାନ କବି ଓ ତାଙ୍କର ସ୍ମରଣ ଶକ୍ତି ଅଶ୍ରୁତପୂର୍ବ ବୋଲି ଅବତାରଣା କରିଥିଲେ। ଶ୍ରୀ ନାଗ ତାଙ୍କର ପ୍ରତ୍ୟକ କବିତାର ଶେଷ ଛନ୍ଦରେ ଆଶ୍ଚର୍ଯ୍ୟ ଜନକ ଭାବେ ଯେଉଁ ଭିନ୍ନ ମୋଡ ଦେଇଥାନ୍ତି , ତାକୁ ସେ ହଳଧର ନାଗ ମୋଡ ଆଖ୍ୟା ଦେଇଥିବା ଶ୍ରୀ ମହାନ୍ତି ଦର୍ଶାଇଥିଲେ। ଇ ସଭାରେ ଶ୍ରୀ ନାଗ ଙ୍କ ଦ୍ୱାରା ଲିଖିତ ଓ ଶ୍ରୀ ମହାନ୍ତିଙ୍କ ଦ୍ୱାରା ଇଂରାଜୀରେ ଅନୁବାଦିତ କାବ୍ୟଞ୍ଜଳି ପୁସ୍ତିକାର ଚତୁର୍ଥ ସଂସ୍କରଣ ଉନ୍ମୋଚନ କରାଯାଇଥିଲା ।

Comments are closed.