Odisha Link
Bridging the Missing Links in Odisha

ଏଲଏସିରେ ଗୁଳିମାଡ଼, ଚୀନ୍‌ର ବିବୃତ୍ତିକୁ ଖଣ୍ଡନ କଲା ଭାରତ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ବଢିଲା ବିବାଦ । ୪୫ ବର୍ଷ ପରେ ପୂର୍ବ ଲଦାଖ ଏଲଏସିରେ ଗୁଳି ବିନିମୟ ହୋଇଛି। ତେବେ ଗୁଳିମାଡ଼ ପରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କୁହାଯାଇଛି। ଗତକାଲି ବିଳମ୍ବିତ ରାତିରେ ଭାରତୀୟ ସେନା ସୀମା ପାର କରିବା ସହ ଗୁଳିମାଡ଼ କରିଥିବା ନେଇ ଚୀନ୍ ଅଭିଯୋଗ ଆଣିଛି। ଚୀନର ଅଭିଯୋଗକୁ ଖଣ୍ଡନ କରିଛି ଭାରତ। ଭାରତୀୟ ସେନା ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(ଏଲ୍‌ଏସି)କୁ ଅତିକ୍ରମ‌ କରି ଗୁଳି ଚଳାଇଥିବା ଘଟଣାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ଖଣ୍ଡନ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁୁହାଯାଇଛି ଯେ ଚୀନ ସୀମାରେ ଉତ୍ତେଜନାମୂଳକ କାର୍ଯ୍ୟ ଜାରି ରଖିଛି। ଭାରତୀୟ ସେନା ଆଦୌ ବି ସୀମା ଅତିିକ୍ରମ କରିନାହିଁ। ଭାରତୀୟ ସେନା ଗୁଳି ଚଳାଇବା କିମ୍ବା ‌କୌଣସି ପ୍ରକାରର ଉତ୍ତେଜନାମୂଳକ ଆଚରଣ ଦେଖାଇ ନାହିଁ। ବରଂ ଚୀନ ସାମରିକ, କୂଟନୈତିକ ଓ ରାଜନୈତିକ ସ୍ତରରେ ସକ୍ରିୟ ରହି ଖୋଳାଖୋଲି ଭାବେ ଚୁକ୍ତି ଉଲ୍ଲଂଘନ କରିବା ସହ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରୁଛି। ଗତକାଲି ରାତିରେ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(ଏଲ୍‌ଏସି)ଠାରେ ଭାରତ ନୁହେଁ ବରଂ ଚୀନ ସେନାର ଯବାନମାନେ କିଛି ରାଉଣ୍ଡ ଗୁଳି ଚଳାଇଥିଲେ।