JEE Main 2020 Result: ୨୪ ଜଣ ଶତ ପ୍ରତିଶତ ସ୍କୋର କରିଛନ୍ତି

ନୂଆଦିଲ୍ଲୀ: ପ୍ରକାଶ ପାଇଲା JEE Main 2020 ପରୀକ୍ଷାଫଳ। ଶୁକ୍ରବାର ବିଳମ୍ବିତ ରାତିରେ ନ୍ୟାସନାଲ ଟେଷ୍ଟିଙ୍ଗ୍ ଏଜେନ୍ସି (NTA) ପ୍ରକାଶ କରିଛି ଜେଇଇ ମେନ୍ ୨୦୨୦ ରେଜଲ୍ଟ। ଚଳିତ ବର୍ଷ ୨୪ ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ସ୍କୋର କରିଛନ୍ତି। ଛାତ୍ରଛାତ୍ରୀ ମାନେ ଏହି https://jeemain.nta.nic.in/webinfo/public/home.aspx ଓ୍ବେବସାଇଟରେ ନିଜର ଫଳାଫଳ ଦେଖିପାରିବେ।
ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆଡମିଶନ ନେବା ପାଇଁ ଏହି ପରୀକ୍ଷା ହୋଇଥାଏ। ଏହି ପରୀକ୍ଷା କୋଭିଡ-୧୯ କାରଣରୁ ପୂର୍ବରୁ ୨ଥର ସ୍ଥଗିତ ରହିଛି। ପରିଶେଷରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ ୨୪ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଶତପ୍ରତିଶତ ସ୍କୋର କରିଛନ୍ତି। ୨୪ ଜଣଙ୍କ ମଧ୍ୟରୁ ତେଲେଙ୍ଗାନାର ୮ଜଣ ଛାତ୍ର ସର୍ବାଧିକ ୧୦୦ ପ୍ରତିଶତ ପାଇଥିବାବେଳେ ଦିଲ୍ଲୀର ୫ ଜଣ, ରାଜସ୍ଥାନର ୪ ଜଣ, ଆନ୍ଧ୍ରପ୍ରଦେଶରୁ ୩ ଜଣ, ହରିୟାଣାରୁ ୨ ଜଣ ଏବଂ ଗୁଜୁରାଟ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏଁ ଶତ ପ୍ରତିଶତ ମାର୍କ ପାଇଛନ୍ତି।
କରୋନା କାଳରେ ଜେଇଇ ମେନ୍ ପରୀକ୍ଷା ସେପ୍ଟମ୍ବର ୧ ରୁ ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ହୋଇଥିଲା। ଆଇଆଇଟି, ଏନ୍ଆଇଟି ଓ କେନ୍ଦ୍ର ସରକାର ଦ୍ବାରା ପରିଚାଳିତ ଇଂଞ୍ଜିନିୟରିଂ କଲେଜ ଗୁଡ଼ିକରେ ଆଡମିଶନ୍ ନେବା ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାରେ ମୋଟ ୮ ଲକ୍ଷ ୫୮ ହଜାର ଫର୍ମ ଆବେଦନ କରିଥିଲେ। ସେ ମଧ୍ୟରୁ ୭୪ ପ୍ରତିଶତ ଛାତ୍ରଛାତ୍ରୀ ଏହି କରୋନା କାଳରେ ପରୀକ୍ଷା ଦେଇଥିଲେ।
ଜେଇଇ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶୀର୍ଷ ୨.୪୫ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ୍ ପରୀକ୍ଷା ଦେଇ ପାରିବେ। ସୂଚନାଥାଉକି, ସେପ୍ଟମ୍ବର ୨୭ ତାରିଖରେ ଜେଇଇ ଆଡଭାନ୍ସ୍ ପରୀକ୍ଷା ଅନୁଷ୍ଠିତ ହେବ।