Odisha Link
Bridging the Missing Links in Odisha

“ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦” ଉଚ୍ଚ ଶିକ୍ଷା ବିରୋଧୀ : ଡ.ଲେଖାଶ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାର କ୍ଷମତାର ଅପବ୍ୟବହାର କରି ସମସ୍ତ କ୍ଷେତ୍ରରେ ନିଜର ଆଧିପତ୍ୟ ଜାହିର୍ କରିବାର ଅପଚେଷ୍ଟା କରୁଛନ୍ତି ।
କିଛିମାତ୍ର ମୁଷ୍ଟିମେୟ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ତରବରିଆ ଭାବେ ଏ ସମସ୍ତ କାର୍ଯ୍ୟ ହେଉଛି । ଏହାର ସଦ୍ୟତମ ଉଦାହରଣ ହେଲା “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦” ।

ଗତ ସେପ୍ଟେମ୍ବର ୪ ତାରିଖରେ ରାଜ୍ୟ ସରକାର ତରବରିଆ ଭାବେ ଏହି ଅଧିନିୟମକୁ ମଞ୍ଜୁରୀ ପ୍ରଦାନ କଲେ । ଏପରିକି ଏହି ଅଧିନିୟମ ପ୍ରସଙ୍ଗରେ କୈାଣସି ବୁଦ୍ଧିଜିବୀ, ଶିକ୍ଷାବିତ୍‌, ବିଶିଷ୍ଟ ନାଗରିକ, ହିତକ୍ଷାଙ୍କିଙ୍କ ସହ ଆଲୋଚନା ମଧ୍ୟ କରିଲେ ନାହିଁ ।

ଅନ୍ୟ ପଟେ ଏହି ଅଧିନିୟମ ପାସ୍ ନ ହେଉଣୁ ରାଜ୍ୟର ଶିକ୍ଷା ସଚିବ ବିଶ୍ୱବିଦ୍ୟାଳୟଗୁଡିକର ଦୈନନ୍ଦନୀୟ କାର୍ଯ୍ୟରେ ହସ୍ତକ୍ଷେପ କରିବା ଆରମ୍ଭ କରିଦେଇଛନ୍ତି । ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାୟତ୍ୱତା କ୍ଷୁର୍ଣ୍ଣ ହେବା ସହ କୁଳାଧିପତିଙ୍କ ମର୍ଯ୍ୟାଦାର ହାନି ହେଉଛି ।

ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଦ୍ୱାରା ରାଜ୍ୟରେ ଉଚ୍ଚ ଶିକ୍ଷାର ମାନ ହ୍ରାସ ପାଇବ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ବିଶ୍ୱବିଦ୍ୟାଳୟମାନଙ୍କରେ କୁଳପତି ଚୟନ ପ୍ରକ୍ରିୟା ରାଜ୍ୟପାଳଙ୍କ ଦ୍ୱାରା ସ୍ଥିର ହୋଇଥିବା ସର୍ଚ୍ଚ କମିଟି ଜରିଆରେ ହୋଇଥାଏ । ଏଥିରେ ଶିକ୍ଷା ସଚିବଙ୍କ
ଭୂମିକା ଆଦୈା ନାହିଁ । ମାତ୍ର “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ- ୨୦୨୦” ପାସ୍ ହେବା କ୍ଷଣି ୪ ତାରିଖ ଦିନ ରାଜ୍ୟର ଶିକ୍ଷା ସଚିବ ତତ୍‌କ୍ଷଣାତ୍‌ ରାଜ୍ୟପାଳଙ୍କୁ ପତ୍ର ଲେଖି ବିଶ୍ୱବିଦ୍ୟାଳୟମାନଙ୍କରେ କୁଳପତି ପଦ ପାଇଁ ଆବେଦନକାରୀଙ୍କ ଦରଖାସ୍ତଗୁଡିକୁ ଦେବା ପାଇଁ କହିଥିଲେ ।

ଏହାର ୩ ଦିନ ପରେ ଅର୍ଥାତ ୭ ତାରିଖ ଦିନ ଶିକ୍ଷା ସଚିବ ଓପିଏସସିକୁ ପତ୍ର ଲେଖି ବିଶ୍ୱବିଦ୍ୟାଳୟମାନଙ୍କରେ ଖାଲି ପଡିଥିବା ଅଧ୍ୟାପକ ପଦପଦବୀ ଦରଖାସ୍ତକୁ ଅନୁଧ୍ୟାନ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଲେ ।

ଶିକ୍ଷା ସଚିବ ଗତ କାଲି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ କଂଟ୍ରୋଲର (ଅର୍ଥ)ଙ୍କୁ ପତ୍ର ଲେଖି ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଭିଡିଓ କନଫରେନ୍ସ ଜରିଆରେ ବାଧ୍ୟତା ଭାବେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଉକ୍ତ ଅଧିନିୟମରେ ସବୁ ନିୟମକୁ କାର୍ଯ୍ୟକାରୀ କରାଯିବାକୁ ନେଇ ଆଲୋଚନା ହେବାର ସ୍ଥିର ହୋଇଛି ।

ଆସନ୍ତା ୨୯ ତାରିଖ ଦିନ ବିଧାନସଭା ଅଧିବେଶନରେ ଆଲୋଚନା ନକରି ରାଜ୍ୟ ସରକାର କାହିଁକି ତରବରିଆ ଓ ଜୋରଜବରଦସ୍ତ ଭାବେ “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦”କୁ କାର୍ଯ୍ୟକାରୀ କରିବାକୁ ପ୍ରଚେଷ୍ଟା କରୁଛନ୍ତି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

ଡ,ସାମନ୍ତସିଂହାର କହିଛନ୍ତି ଯେ, ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁ ପ୍ରକ୍ରିୟା ଅନୁସାରେ ନିଯୁକ୍ତି ଦେବା ହେଉଛିବିଶ୍ୱବିଦ୍ୟାଳୟ ମାନଙ୍କର ମୈାଳିକ ସ୍ୱାଧୀନତା ଏବଂ ଏଥି ସହ ଉନ୍ନତମାନର ଶିକ୍ଷା ପ୍ରଦାନ କରିବାର ସ୍ୱାଧୀନତା ରହିଛି । ପ୍ରଶାସନିକ ଅଧିକାରୀମାନେ ବିଶ୍ୱବିଦ୍ୟାଳୟର ଦାୟୀତ୍ୱ ନେଲେ ସୁଚାରୁ ରୂପେ କାର୍ଯ୍ୟ ସଂପାଦନା ହେବାର ବଡ ପ୍ରଶ୍ନବାଚୀ ।

ଏହା ସହ ଅନୁଷ୍ଠାନର ମୁଖ୍ୟ ଜଣେ ପ୍ରଶାସନିକ ଅଧିକାରୀ ହେଲେ, ରାଜନୈତିକ ହସ୍ତକ୍ଷେପ ଓ ଚାପ କାରଣରୁ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାର ମାନ ହ୍ରାସ ପାଇବ ବୋଲି ଡ.ସାମନ୍ତସିଂହାର କହିଛନ୍ତି ।

ରାଜ୍ୟର ସମସ୍ତ ଶିକ୍ଷାବିତ୍‌, ବୁଦ୍ଧିଜୀବି, ବିଶିଷ୍ଟ ନାଗରିକ, ହିତକ୍ଷାଂକୀମାନେ ଏହି “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦”କୁ ବିରୋଧ କରୁଥିବାବେଳେ, ତରବରିଆ ଏବଂ ଜୋରଜବରଦସ୍ତ ଭାବେ ଏହାକୁ କାର୍ଯ୍ୟକାରୀ କରାଇ ରାଜ୍ୟ ସରକାର ନିଜର ଉଚ୍ଚ ଶିକ୍ଷା ବିରୋଧୀ ବାର୍ତାକୁ ସ୍ପଷ୍ଟ କରିଛନ୍ତି ।

ରାଜ୍ୟରେ ଉଚ୍ଚ ଶିକ୍ଷାର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟସରକାର ଏହି ଅଧିନିୟମକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଡ.ସାମନ୍ତସିଂହାର ଦାବୀ କରିଛନ୍ତି ।

Comments are closed.