ଗଲୱାନ ସଂଘର୍ଷରେ ଚୀନ ସୈନିକଙ୍କର ମଧ୍ୟ ହୋଇଥିଲା ପ୍ରାଣହାନୀ : ଚୀନ
ନୂଆଦିଲ୍ଲୀ : କରୋନା ପାଇଁ ସାରା ଦେଶ ଚିନ୍ତାରେ ଥିବା ସମୟରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। ଏହା ଗତ ଜୁନ ମାସରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ।ଭାରତର ୨୦ଜଣ ଯବାନ ସହିଦ ହୋଇଥିଲେ। କିନ୍ତୁ ଚୀନ ଗଲୱାନରେ ହୋଇଥିବା ଏହି ସଂଘର୍ଷରେ କୌଣସି ସେନା ଯବାନଙ୍କ ମୃତ୍ୟୁ ହୋଇନଥିବା କହିଥିଲା। କିନ୍ତୁ ଚୀନ ଏତେ ଦିନ ପରେ ସତ ମାନିଛି ।
ଚୀନ୍ ପ୍ରଥମ ଥର ପାଇଁ ଗ୍ରହଣ କରିଛି ଯେ, ଗଲୱାନ ଉପତ୍ୟକାର ସଂଘର୍ଷରେ ତାଙ୍କ ସୈନିକମାନଙ୍କର ମଧ୍ୟ ପ୍ରାଣହାନୀ ହୋଇଥିଲା। ପୂର୍ବରୁ ଚୀନ୍ ଏହାକୁ ଗ୍ରହଣ କରୁନଥିଲା। ଚୀନର ଖବରକାଗଜ ଗ୍ଲୋବାଲ ଟାଇମ୍ସର ସମ୍ପାଦକ ସ୍ୱୀକାର କରିଛନ୍ତି ଯେ, ଗଲୱାନ ଭ୍ୟାଲିରେ ଚୀନ୍ର ସେନା କ୍ଷତିଗ୍ରସ୍ତ ହୋଇଥିଲା ଏବଂ କିଛି ସୈନିକଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା।
ଗ୍ଲୋବାଲ ଟାଇମ୍ସ ସଂପାଦକ ହୁ ଝିଜିନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏକ ବିବୃତ୍ତିରେ ଟୁଇଟ୍ କରି କହିଛନ୍ତି ଯେ, ଗଲୱାନ ଭ୍ୟାଲିର ସଂଘର୍ଷରେ ଚୀନ୍ ସେନାର ମୃତ୍ୟୁ ସଂଖ୍ୟା ଭାରତୀୟ ସେନାର ମୃତ୍ୟୁ ସଂଖ୍ୟାଠାରୁ କମ୍ ଥିଲା | କେବଳ ଏତିକି ନୁହେଁ, କୌଣସି ଚୀନ୍ ସୈନିକ ଭାରତ ଦ୍ୱାରା ବନ୍ଦୀ ହୋଇନଥିଲେ, କିନ୍ତୁ ସଂଘର୍ଷ ଦିନ ଚୀନ୍ ଭାରତୀୟ ସୈନିକମାନଙ୍କୁ ଗିରଫ କରିଥିଲା।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଦିନ ରାଜ୍ୟସଭାରେ ଚୀନ୍ ସୀମାରେ ଚାଲିଥିବା ଉତ୍ତେଜନା ସମ୍ପର୍କରେ ଦେଶକୁ ସୂଚନା ଦେଇଥିବା ବେଳେ ଚୀନ୍ ଏହା ସ୍ୱୀକାର କରିଛି। ରାଜନାଥ ସିଂ କହିଥିଲେ ଯେ ଭାରତ ସମସ୍ତ ନିୟମ ଏବଂ ଚୁକ୍ତିନାମା ପାଳନ କରୁଛି, କିନ୍ତୁ ଚୀନ୍ ପକ୍ଷରୁ ଏହାକୁ ବାରମ୍ବାର ଉଲ୍ଲଂଘନ କରାଯାଉଛି। କିନ୍ତୁ ଯେକୌଣସି ପରିସ୍ଥିତି ପାଇଁ ଭାରତୀୟ ସେନା ପ୍ରସ୍ତୁତ।
ଗଲୱାନ ଉପତ୍ୟକାର ସଂଘର୍ଷକୁ ନେଇ ସେ କହିଛନ୍ତି ଯେ ଚୀନ୍ ନିୟମ ଉଲ୍ଲଂଘନ କରିବା ହେତୁ ଭାରତର ୨୦ଜଣ ସୈନିକ ସହିଦ ହୋଇଥିଲେ ସତ, କିନ୍ତୁ ସେହି ସୈନିକମାନେ ଚୀନ୍କୁ ଦୃଢ଼ ଜବାବ ମଧ୍ୟ ଦେଇଥିଲେ।
Comments are closed.