ଅଫର ଦେଲେ ଛିଡ଼ା ହେବିନି: ଅରୁଣ ଦେ

ଭୁବନେଶ୍ୱର: ଅଫର ଦେଲେ ବି ଛିଡ଼ା ହେବି ନାହିଁ। ଏଭଳି କହିଛନ୍ତି ବିଜେଡି ନେତା ଅରୁଣ ଦେ। ବାଲେଶ୍ୱର ଉପନିର୍ବାଚନ ପରିପ୍ରେକ୍ଷୀରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ନିଜ ସମ୍ଭାବ୍ୟ ପ୍ରାର୍ଥିତ୍ୱକୁ ଖଣ୍ଡନ କରିବା ସହ ଅରୁଣ ଦେ ଏଭଳି କହିଛନ୍ତି। ଅଫର ଦେଲେ ଛିଡ଼ା ହେବେ କି ନାହିଁ ପ୍ରଶ୍ନରେ ‘ନୋ’ ବୋଲି ଅରୁଣ ଦେ କହିଛନ୍ତି। ଖାଲି ସେତିକି ନୁହେଁ ୫ ଥର ନିଜ ଦମରେ ଜିତିଛି, ୬ଥର ହେଲେ କଣ ସ୍ୱର୍ଗକୁ ଯିବି ବୋଲି ଅରୁଣ ଦେ ପ୍ରଶ୍ନ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ଆଗକୁ ବାଲେଶ୍ୱର ସଦର ଉପନିର୍ବାଚନ। ବିଭିନ୍ନ ଦଳ ଭିତରେ ନିର୍ବାଚନକୁ ନେଇ ଜୋରଦାର କସରତ ଚାଲିଥିବାବେଳେ ପ୍ରାର୍ଥିତ୍ୱକୁ ନେଇ ବିଜେଡିରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଗୋଷ୍ଠୀ ବିବାଦ ପରେ ଅରୁଣ ଦେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ପରିପ୍ରେକ୍ଷୀରେ ଗତ ୩ ଦିନ ହେଲା ସେଠାରେ ଡେରା ପକାଇଥିବା ପ୍ରତାପ ଜେନାଙ୍କୁ ଅରୁଣ ଦେ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଏକ ରୁଦ୍ଧ ଦ୍ୱାର ବୈଠକ ହୋଇଥିଲା।