ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଇଁ ଗାଇଡଲାଇନ

କୋଲକାତା: ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଇଁ ଆଜି ଗାଇଡଲାଇନ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ଚଳିତବର୍ଷ କରୋନା ପାଇଁ ଦୁର୍ଗାପୂଜା ନିରାଡ଼ମ୍ବର ହେବ। ଦୁର୍ଗାପୂଜା ଗାଇଡଲାଇନ ମୁତାବକ, ପୂଜା ମଣ୍ଡପକୁ ଭେଣ୍ଟିଲେସନ ପାଇଁ ୪ ପଟୁ ଖୋଲା ରଖାଯିବ। ପ୍ରବେଶ ଫାଟକରେ ହ୍ୟାଣ୍ଡ ସାନିଟାଇଜର ରଖିଯିବା ବାଧ୍ୟତାମୂଳକ କରାଯାଇଛି। ପୂଜା ମଣ୍ଡପକୁ ବୁଲି ଆସୁଥିବା ପ୍ରତ୍ୟେକ ଲୋକ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି। ଅନ୍ୟ ବର୍ଷ ଭଳି ଚଳିତବର୍ଷ ପୂଜା ପେଣ୍ଡାଲରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ ନାହିଁ। ଏଥିସହ ପୂଜା ମଣ୍ଡପ ନିକଟରେ କୌଣସି ବ୍ୟବସାୟକୁ ଗାଇଡଲାଇନରେ ନିଷିଦ୍ଧ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ପାଇଁ ପୂଜାରେ ଏହି ସବୁ ନିୟମ କଡାକଡି କରାଯିବ।
ଏଥିସହ ରାଜ୍ୟ ସରକାର ପ୍ରତି ଦୁର୍ଗାପୂଜା କମିଟିକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ରାଜ୍ୟ ସରକାର ଦୁର୍ଗାପୂଜା ବେଳେ ଫେରି ବ୍ୟବସାୟ ଲାଗି କ୍ଷତିଗ୍ରସ୍ତ ହେବାକୁ ଥିବା ଫେରିବାଲାଙ୍କ ପାଇଁ ମଧ୍ୟ ଅନୁଦାନ ଘୋଷଣା କରିଛନ୍ତି। ଏଥିରେ ଫେରିବାଲାମାନଙ୍କୁ ଏକକାଳୀନ ୨ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି। ସରକାରଙ୍କ ଏହି ଘୋଷଣା ଯୋଗୁ ଅନୁନ୍ୟ ୮୦ ହଜାର ଫେରିବାଲା ଲାଭବାନ ହେବେ ବୋଲି କୁହାଯାଇଛି। ଆସନ୍ତା ଅକ୍ଟୋବର ୨୨ ତାରିଖରୁ ରାଜ୍ୟରେ ଦୁର୍ଗାପୂଜା ଆରମ୍ଭ ହେବ।