Odisha Link
Bridging the Missing Links in Odisha

ବିଜେଡି ପଦଯାତ୍ରାକୁ ବିରୋଧୀଙ୍କର କଟାକ୍ଷ

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ଆଜି ଠାରୁ କରୋନା ସଚେତନତା ଅଭିଯାନ ଆରମ୍ଭ ହୋଇଛି। ବିଜେଡି ମୁଖ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ନଭେମ୍ବର ୨ ତାରିଖ ଯାଏଁ ଏହି ଅଭିଯାନ ଚାଲିବ। ଏହି ଅବସରରେ ପ୍ରତି ୱାର୍ଡ ଓ ପଞ୍ଚାୟତସ୍ତରରେ ଜନସଚେତନତା ସୃଷ୍ଟି କରାଯିବ। ସାମାଜିକ ଦୂରତା ରକ୍ଷା ପାଳନ ସହ ମାସ୍କ ପିନ୍ଧିବାକୁ ଲୋକଙ୍କୁ ବୁଝାଯିବ।

ତେବେ ବିଜେଡିର ଏଭଳି ପଦଯାତ୍ରାକୁ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ନିଜର ବିଫଳତା ଘୋଡ଼ାଇବା ପାଇଁ ଏଭଳି ହୀନ ପ୍ରୟାସ କରାଯାଇଛି। ଏହା ଜାତିର ଜନକଙ୍କ ପ୍ରତି ଅପମାନ। କୋଭିଡ ପରିଚାଳନା ଠିକ୍ ହେଲାନି। ଦିନକୁ ଦିନ ମୃତ୍ୟୁ ଓ ସଂକ୍ରମଣ ହାର ବଢୁଛି। କେନ୍ଦ୍ର ଭେଣ୍ଟିଲେଟର ଦେଲା। ମାତ୍ର ରୋଗୀ ଭେଣ୍ଟିଲେଟର ପାଇବାକୁ ଧାଡ଼ିରେ। ବର୍ତ୍ତମାନ ରାଜ୍ୟରେ ହା ହତାଶ ସ୍ଥିତି। ଏହି ସ୍ଥିତିରେ ଅକ୍ଟୋବର ୨ରୁ ନଭେମ୍ବର ୨ ପଦଯାତ୍ରା ଭଣ୍ଡେଇବା ସହ ସମାନ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

କଂଗ୍ରେସ ବିଧାୟକ ତାରା ବାହିନୀପତି ବିଜେଡିର ଏହି ସଚେତନତା ପଦଯାତ୍ରାକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ନବୀନ ବାବୁ ତ ଘରୁ ବାହାରୁ ନାହାନ୍ତି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳିରେ ଏହି କାର୍ଯ୍ୟକ୍ରମ କିଏ କରିବ। କୋଭିଡରେ କୋଟି କୋଟି ଟଙ୍କା ଆତ୍ମସାତ କରାଯାଉଛି। ଲୁଚେଇବାକୁ ସଚେତନ ନାଟକ କରାଯାଉଛି। ଲୋକେ ଯେଭଳି ଭାବେ ମରିଛନ୍ତି, ଏମାନଙ୍କ କଥା କେହି ବିଶ୍ୱାସ କରିବେନି। କୋଭିଡ ଦୁର୍ନୀତି ନେଇ ଲୋକଙ୍କ ପାଖକୁ ଯିବୁ। ଦସ୍ତଖତ ଅଭିଯାନ କରିବୁ। ଆରଟିଆଇରେ ତଥ୍ୟ ଦିଆଯାଉନି, ବିଧାନସଭାରେ ସଂଗ୍ରହ ଚାଲିଛି ବୋଲି କହୁଛନ୍ତି ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି।

Comments are closed.