ରାଜଧାନୀରେ ଲଜ୍ଜା

ଭୁବନେଶ୍ୱର: ରାଜଧାନୀରେ ଲଜ୍ଜା। ପୁଣି ଜଣେ ନାବାଳିକାଙ୍କୁ ଗଣବଳାତ୍କାର। ସହିଦନଗର ଥାନା ଅଧୀନ ଶାନ୍ତିପଲ୍ଲୀ ବସ୍ତିରେ ଜଣେ ନାବାଳିକାଙ୍କୁ ଗଣ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ମୁତାବକ, ବୁଧବାର ପୂର୍ବାହ୍ନରେ ବସ୍ତିରେ ରହୁଥିବା ନାବାଳିକା ଜଣଙ୍କ ତାଙ୍କ ଗାଧୁଆ ଘରେ ଥିବା ବେଳେ ଉକ୍ତ ବସ୍ତିର ଆଉ ଦୁଇ ଜଣ ନାବାଳକ ନାବାଳିକାଙ୍କୁ ସେଠାରୁ ଭିଡ଼ି ନେଇ ବସ୍ତିରେ ଥିବା ଅନ୍ୟ ଏକ ଗାଧୁଆ ଘରେ ବଳାତ୍କାର କରିଥିଲେ। ନାବାଳିକାଙ୍କୁ ସେମାନେ ଡରାଇ ଧମକାଇ ବଳାତ୍କାର କରିଥିଲେ। ପରେ ନାବାଳିକା ଜଣଙ୍କ କାନ୍ଦି କାନ୍ଦି ଘରକୁ ଫେରିଥିଲା। ପରିବାର ଲୋକେ ପଚରାଉଚରା କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।
ନାବାଳିକାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ଦୁଇ ନାବାଳକଙ୍କୁ ଆଣି ପଚରାଉଚରା କରୁଛି। ସେମାନଙ୍କୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।