Odisha Link
Bridging the Missing Links in Odisha

ଷ୍ଟାର୍‌ ପ୍ରଚାରକ: ବିଜେପି ତାଲିକାରେ ନାହାନ୍ତି ସିନେ ଷ୍ଟାର୍, ବିଜେଡିରେ ୩

ଭୁବନେଶ୍ବର: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ବିଜେପି ଓ ବିଜେଡି ଉଭୟ ଦଳ ପକ୍ଷରୁ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ବିଜୁ ଜନତା ଦଳ ତାଲିକାରେ ୩ ଜଣ ଚଳଚ୍ଚିତ୍ର ଅଭିନେତା ସାମିଲ ହୋଇଥିବା ବେଳେ ଭାରତୀୟ ଜନତା ଦଳ ତାଲିକାରେ ଜଣେ ବି ଅଭିନେତା-ଅଭିନେତ୍ରୀ ନାହାନ୍ତି।

ବିଜେଡି ଏଥର ଅଭିନେତା-ସାଂସଦ ଅନୁଭବ ମହାନ୍ତିଙ୍କୁ ତାଲିକାରୁ ବାଦ ଦେଇଥିବା ବେଳେ ଆକାଶ ଦାସ ନାୟକ, ଅରିନ୍ଦମ ରାୟ ଓ କୁନା ତ୍ରିପାଠୀଙ୍କୁ ତାରକା ପ୍ରଚାରକ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ଅରୁଣ କୁମାର ସାହୁ, ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ପ୍ରମିଳା ମଲ୍ଲିକ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ୩୦ ଜଣ ନେତା ବିଜେଡି ପାଇଁ ଏଥର ତାରକା ପ୍ରଚାରକ ସାଜିବେ।

ଅନ୍ୟପଟେ ବିଜେପିରେ ପ୍ରସିଦ୍ଧ ଅଭିନେତ୍ରୀ ଅପରାଜିତା ମହାନ୍ତି ଓ ମହାଶ୍ବେତା ରାୟ, ହାସ୍ୟାଭିନେତା ହରି, ଅଭିନେତା ଶ୍ରୀତମ ଦାସ ଓ ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଥିଲେ ବି ତାରକା ପ୍ରଚାରକ ତାଲିକାରେ ଏମାନଙ୍କୁ ନିଆ ଯାଇନାହିଁ। ଦଳର ୩୦ ଜଣିଆ ତାରକା ତାଲିକାରେ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଜୁଏଲ ଓରାମ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ଅଶ୍ବିନୀ ବୈଷ୍ଣବ, ବରିଷ୍ଠ ନେତା ବିଜୟ ମହାପାତ୍ର ଓ ମହାମେଘବାହନ ଐର ଖାରବେଳ ସ୍ବାଇଁ ପ୍ରମୁଖ ସାମିଲ ହୋଇଛନ୍ତି।

ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେଡିର ତାରକା ପ୍ରଚାରକ
ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେପିର ତାରକା ପ୍ରଚାରକ

Comments are closed.