Odisha Link
Bridging the Missing Links in Odisha

ମନ୍ଦିର ଏବଂ ସେବାୟତ ମାନଙ୍କରେ ସଂସ୍କାର ଓ ପାରିଶ୍ରମିକ ବ୍ୟବସ୍ଥା କରିବା ଦାବିରେ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ଓଡ଼ିଶାରେ ସନାତନ ହିନ୍ଦୁ ସଂସ୍କୃତିର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ମନ୍ଦିର ଗୁଡ଼ିକ ଦୀର୍ଘ ଦିନ ଧରି ବନ୍ଦ ପଡ଼ି ରହିବା ପରେ ଏଗୁଡ଼ିକ କିପରି ଖୋଲାହେବା ସହ ଭକ୍ତମାନଙ୍କ ସମାଗମ ଆରମ୍ଭ ହେବ ସେ ନେଇ ସରକାର ଉଦାସୀନ ମନୋଭାବ ପୋଷଣ କରୁଥିବା ବେଳେ ରାଷ୍ଟ୍ରୀୟ ମନ୍ଦିର ସେବକ ସଂଘ ଓ ଓଡ଼ିଶା ମନ୍ଦିର ସେବାୟତ ସଂଘର ମିଳିତ ଉଦ୍ୟମରେ ଅନ୍ୟ ସନାତନ ଧର୍ମର ସଙ୍ଗଠନମାନଙ୍କ ପକ୍ଷରୁ ଓଡ଼ିଶାର ସମସ୍ତ ମନ୍ଦିରଗୁଡ଼ିକ ସୁବ୍ୟବସ୍ଥିତ କରିବା ସହ ସେଠାରେ ବିଭିନ୍ନ ପ୍ରକାର ସେବାରେ ନିୟୋଜିତ ସେବକମାନଙ୍କୁ ସରକାରୀ କର୍ମଚାରୀଙ୍କ ପରି ଉଚିତ ଦରମା ଢାଞ୍ଚାରେ ପ୍ରାପ୍ୟ ଦେବା ଦାବିରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରୀୟ ମନ୍ଦିର ସେବକ ସଂଘର ସଭାପତି ସୁକାନ୍ତ ପଣ୍ଡା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ କୌଣସି ପ୍ରକାରର ସେବା କାର୍ଯ୍ୟ ପାଇଁ ସରକାରଙ୍କର ଏକ ସର୍ବନିମ୍ନ ମଜୁରୀ ବ୍ୟବସ୍ଥା ଥିବା ବେଳେ ମନ୍ଦିର ମାନଙ୍କରେ କାର୍ଯ୍ୟରତ ସେବକମାନଙ୍କ ପାଇଁ ତାହା କାହିଁକି ଲାଗୁ ହେଉନାହିଁ ?

ବିଗତ ଦିନରେ ସରକାରଙ୍କୁ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିଲାନି କି ସେବାୟତଙ୍କୁ ସହାୟତା ମିଳିଲାନି, ତେଣୁ ଆଗାମୀ ୭ଦିନ ମଧ୍ୟ ରେ ଯଦି ସରକାର ଏ ଦିଗରେ କିଛି ପଦକ୍ଷେପ ନ ନିଅନ୍ତି ତେବେ ଓଡ଼ିଶାର ଲକ୍ଷ ଲକ୍ଷ ଭକ୍ତ,ସେବାୟତ,ବ୍ରାହ୍ମଣ ରାଜରାସ୍ତାକୁ ଓହ୍ଲାଇ ଚରମ ପ୍ରତିବାଦର ପନ୍ଥା ଅବଲମ୍ବନ କରିବେ। ଓଡ଼ିଶାର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଯଥା- ଆଦିତ୍ୟ ବାହୀନି, ରାଷ୍ଟ୍ରୀୟ ମନ୍ଦିର ସେବକ ସଂଘ, ବଜରଙ୍ଗ ଦଳ, ଓଡ଼ିଶା ବ୍ରାହ୍ମଣ ସମିତି,ରୁଦ୍ର ସେନା,ବିଶ୍ବହିନ୍ଦୁ ପରିଷଦ,ଓଡ଼ିଶା ଗୋ ସୁରକ୍ଷା ସମିତି,ଅଖିଳ ଭାରତୀୟ ବ୍ରାହ୍ମଣ କଲ୍ୟାଣ ସଂସ୍ଥାନ,କୋଶଳ ବ୍ରାହ୍ମଣ ପରିବାର, ଜଗନ୍ନାଥ ସେନା,ଇଣ୍ଡିଆନ୍ ବ୍ରାହ୍ମଣ ଫେଡେରେସନ୍,ଓଡ଼ିଶା ବୈଦିକ ସମାଜ ଆଦିର ପ୍ରତିନିଧିମାନେ ଏହି ବୈଠକରେ ଯୋଗଦେଇଥିଲେ।

Comments are closed.