Odisha Link
Bridging the Missing Links in Odisha

୧୨ ଘଣ୍ଟାରେ ଲଘୁଚାପ, ୫ ଜିଲ୍ଲାକୁ ୟୋଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିଠୁ ପୁଣି ଭିଜିବ ଓଡ଼ିଶା। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ ମୁତାବକ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉପରୋକ୍ତ ଅଞ୍ଚଳରେ ଆସନ୍ତା ୧୨ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ରାଜ୍ୟରେ ୪ରୁ ୫ଦିନ ଦିନ ବର୍ଷା ଲାଗିରହିବ। ଲଘୁଚାପଜନିତ ବର୍ଷା ସହିତ ଉପକୂଳରେ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ୧୯ରୁ ୨୨ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି।

ଲଘୁଚାପ ପ୍ରଭାବରେ ସୋମବାର ସକାଳ ସୁଦ୍ଧା ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ଆସନ୍ତା ୨୦ତାରିଖ ସକାଳ ସୁଦ୍ଧା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୨୦ତାରିଖ ସକାଳୁ ୨୧ ତାରିଖ ସକାଳ ମଧ୍ୟରେ ଗଞ୍ଜାମ ଓ ଗଜପତି ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ପୁରୀରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୨୧ ଓ ୨୨ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ବି​ଶେଷ କରି ୨୧ ତରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ୨୨ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜମ, ଗଜପତି, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲାର କିଛି ସ୍ଥାନରେ ପ୍ରବଳର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯିବା ସହିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Comments are closed.