Odisha Link
Bridging the Missing Links in Odisha

ନାଗାର୍ଜୁନ ବେଶ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଚଳିତ ବର୍ଷ କରୋନା କଟକଣା ପାଇଁ ଆଡମ୍ବରରେ ହେବ ନ‌ାହିଁ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଶ୍ରୀ ମନ୍ଦିରରେ ନାଗାର୍ଜୁନ ବେଶ ପାଇଁ ନୀତିକାନ୍ତି ଚୂଡାନ୍ତ ହୋଇଛି। କେବଳ ବେଶ ନୀତି ଅନୁଷ୍ଠିତ ହେବ। ନାଗାର୍ଜୁନ ବେଶ ସମୟରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ବନ୍ଦ କରାଯିବ। ଆସନ୍ତା ନଭେମ୍ବର ୨୭ ତାରିଖରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ଏହାସହ କାର୍ତ୍ତିକ ମାସ ପାଇଁ ମଧ୍ୟ ନୀତିକାନ୍ତି ଚୂଡାନ୍ତ ହୋଇଛି।

ସେପଟେ ଆଜି କାର୍ତ୍ତିକ ମାସ ପାଇଁ ହବିଷ୍ୟାଳୀଙ୍କ ଲାଗି କଟକଣା ଜାରି ହୋଇଛି। କଟକଣା ଜାରି କରିଛି ପୁରୀ ଜିଲ୍ଲା ପ୍ରଶାସନ। ଯଥା ସମ୍ଭବ ହବିଷ୍ୟାଳୀ ପୁରୀ ନଆସନ୍ତୁ। ଅତ୍ୟାବଶ୍ୟକ ନହେଲେ କାର୍ତ୍ତିକ ବ୍ରତ ପାଇଁ ପୁରୀ ନଆସିବାକୁ ଅନୁରୋଧ କରିଛି ପୁରୀ ଜିଲ୍ଲା ପ୍ରଶାସନ। ଯିଏ ଆସୁଛନ୍ତି ସାମାଜିକ ଦୂରତା ରକ୍ଷା କରନ୍ତୁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, ଚଳିତ ବର୍ଷ କରୋନା ପାଇଁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ବିନା ଭକ୍ତରେ ସଂପାଦିତ ହୋଇଥିଲା। କରୋନା ମହାମାରୀ ଯୋଗୁଁ ମାନ୍ୟବର ‌ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଏହା କରାଗଲା। ତେବେ କରୋନାର ପ୍ରକୋପ ବଢ଼ୁଥିବାରୁ ଆଗାମୀ ନାଗାର୍ଜୁନ ବେଶକୁ ନେଇ ଏଭଳି ଅନିଶ୍ଚିତତା ଦେଖାଦେଇଛି। ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କୁ କେବେ ପ୍ରବେଶ ଅନୁମତି ମିଳିବ ସେ ନେଇ ମଧ୍ୟ କିଛି ନିର୍ଦିଷ୍ଟ ସୂଚନା ଦିଆଯାଉନାହିଁ।

ଅନ୍ୟ ପକ୍ଷରେ ମହାପ୍ରଭୁଙ୍କ ଏହି ବୀର ବେଶକୁ ଦେଖିବାକୁ ଚାହିଁ ବସିଥିବା‌ ଜଗନ୍ନାଥ ପ୍ରେମୀ ନିରାଶ ହୋଇଛନ୍ତି। ନାଗାର୍ଜୁନ ବେଶ ଦେଖିବା ପାଇଁ ପ୍ରାୟ ୬୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥାଏ। ମାତ୍ର ଚଳିତ ବର୍ଷ ଏହି ଦୁର୍ଲଭ ବେଶ ଦର୍ଶନରୁ ଲକ୍ଷ ଲକ୍ଷ ଭକ୍ତ ବଞ୍ଚିତ ହେବେ।

୧୯୯୪ରେ ଶେଷ ଥର ପାଇଁ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ଉପୁଜିଥିବା ବ୍ୟବସ୍ଥାଗତ ତ୍ରୁଟି ଯୋଗୁଁ ଶ୍ରୀମନ୍ଦିରରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଏଥିରେ ୬ ଜଣ ଭକ୍ତ ପ୍ରାଣ ହରାଇଥିଲେ। ଶତାଧିକ ଲୋକ ଗୁରୁତର ଆହତ ହୋଇଥିଲେ। ପବିତ୍ର କାର୍ତ୍ତିକ ଦ୍ବାଦଶୀ ତିଥିରେ ଏହି ବେଶ ଅନୁଷ୍ଠିତ ହେବ। କାର୍ତ୍ତିକ ମାସରେ ଚଳିତ ବର୍ଷ ୬ ଦିନ ପଞ୍ଚକ ପଡ଼ୁଥିବାରୁ ଅତିରିକ୍ତ ଦିନରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ।

Comments are closed.