ଭୁଲ୍ ମାନଚିତ୍ର ପ୍ରଦର୍ଶନ, କ୍ଷମା ମାଗିଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତୀୟ ଭୂଖଣ୍ଡ ଲେହ ସମ୍ପର୍କିତ ଭୁଲ୍ ମାନଚିତ୍ର ପ୍ରଦର୍ଶନ ପାଇଁ ଶେଷରେ କ୍ଷମା ମାଗିଛି ଟ୍ୱିଟର। ସଂଯୁକ୍ତ ସଂସଦୀୟ କମିଟି ନିକଟରେ ଟ୍ୱିଟର ମୌଖିକ ଭାବେ କ୍ଷମା ମାଗିଛି। ଲଦାଖର ପ୍ରମୁଖ ସହର ଲେହକୁ ଟ୍ୱିଟର ଚୀନର ଅଂଶ ବୋଲି ଦର୍ଶାଇଥିଲା। ଏନେଇ ସଂଯୁକ୍ତ ସଂସଦୀୟ କମିଟି ଟ୍ୱିଟରକୁ ଦେଶଦ୍ରୋହ ମାମଲା ନେଇ ଚେତାବନୀ ଦେଇଥିଲା। ସଂଯୁକ୍ତ ସଂସଦୀୟ କମିଟି ଏନେଇ ଟ୍ୱିଟର ଠାରୁ ଲିଖିତ ଉତ୍ତର ମାଗିଥିଲେ। ସଂଯୁକ୍ତ ସଂସଦୀୟ କମିଟି ଅଧ୍ୟକ୍ଷା ମିନାକ୍ଷୀ ଲେଖି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ, ଏହା ଭାରତର ସାର୍ବଭୌମତ୍ୱ ପ୍ରତି ବିରୁଦ୍ଧାଚରଣ। ଏହା ଏକ ଫୌଜଦାରୀ ଅପରାଧ ଅଟେ। ଏଥିପାଇଁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ।
ପୂର୍ବରୁ ମଧ୍ୟ ଭାରତର ସାର୍ବଭୌମତ୍ୱରେ ଆଞ୍ଚ ନଆଣିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଟୁଇଟରକୁ ଚେତାବନୀ ଦିଆଯାଇଥିଲା। ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଟୁଇଟର ସିଇଓଙ୍କୁ ଚିଠି କରାଯାଇଥିଲା। ଭାରତର ଭୁଲ୍ ମ୍ୟାପ ପ୍ରଦର୍ଶନ କରିଥିବାରୁ ଟୁଇଟରକୁ ଚେତାବନୀ ଦିଆଯାଇଥିଲ। ଗତ ୨୨ ତାରିଖ ଦିନ ଟୁଇଟରରେ ଭାରତର ବିବାଦୀୟ ମ୍ୟାପ ପ୍ରଦର୍ଶନ ହୋଇଥିଲା। ଉକ୍ତ ମ୍ୟାପରେ ଜାମ୍ମୁ ଓ କାଶ୍ମୀରକୁ ଚୀନର ବୋଲି ଦର୍ଶାଯାଇଥିଲା।