Odisha Link
Bridging the Missing Links in Odisha

କଂଗ୍ରେସ ଶାସନ କାଳରେ ବିହାରର ତିଳେମାତ୍ର ବିକାଶ ହୋଇନାହିିଁ: ଧର୍ମେନ୍ଦ୍ର

ବିହାର : କଂଗ୍ରେସର ଶାସନ କାଳରେ ବିହାରର ତିଳେମାତ୍ର ବିକାଶ ହୋଇନାହିଁ ବୋଲି ଗୁରୁବାର ବିହାରର ବିଭିନ୍ନ ସ୍ଥାନରେ ନିଜର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିହାରର ତରୈୟା, ମଧୁବନ, ରୋସଡା ଓ ପିପରାର ବିଭିନ୍ନ ଅଞ୍ଚଳରେ ନିର୍ବାଚନୀ ପ୍ରଚାର କରିବା ଅବସରରେ ପ୍ରଧାନ କହିଛନ୍ତି ବିହାରର ଜନତା ସଚେତନ ଅଛନ୍ତି ।

ଦେଶ ଏବଂ ବିହାରକୁ ନିଜର ଜାଗୀର ଭାବୁଥିବା ଜଙ୍ଗଲରାଜର ଯୁବରାଜ ଏବଂ କଂଗ୍ରେସର ଯୁବରାଜ ବିହାରରେ ନିର୍ବାଚନ ପ୍ରଚାର କରୁଛନ୍ତି । ତେବେ ବିହାରବାସୀ ଜଙ୍ଗଲରାଜ ନୁହେଁ ବରଂ ମୋଦି ଓ ନୀତିଶଙ୍କ ପରି ଏକ ମଜବୁତ୍ ଓ ପ୍ରଗତିଶୀଳ ସରକାର ଚାହୁଁଛନ୍ତି ।

କଂଗ୍ରେସ ଶାସନ କାଳରେ ଯଦି ବିହାରର ତିଳେମାତ୍ର ବିକାଶ ହୋଇଥାନ୍ତା ତେବେ ଆଜିର ସମୟରେ ବିହାର ଏବଂ ଏଠାକାର ଯୁବକମାନେ ବହୁତ ଆଗରେ ରହିଥାନ୍ତେ । କଂଗ୍ରେସ ଦଳର ଯୁବରାଜଙ୍କ ମନରେ କଷ୍ଟ ହେଉଛି ଯେ କିଭଳି ଜଣେ ଚା’ ବିକ୍ରି କରୁଥିବା ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଲେ ଏବଂ ବିହାରର ଜଣେ ଚାଷୀର ପୁଅ କିଭଳି ମୁଖ୍ୟମନ୍ତ୍ରୀ ହେଲେ । ଜଙ୍ଗଲ ରାଜକୁ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରିବା ପାଇଁ ବିହାରବାସୀ ଭୋଟ ମାଧ୍ୟମରେ ଜବାବ ଦେବେ ବୋଲି ସେ କହିଛନ୍ତି ।

ବିହାରରେ କଳା, ସଂସ୍କୃତି ଏବଂ କୃଷିର ଅପାର ସମ୍ଭାବନା ରହିଛି । ବିହାର ସମେତ ଦେଶର ଚାଷୀ ମାନଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ନିବେଶ ଆଧାରିତ କୃଷି ପାଇଁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି କ୍ଷେତ୍ରରେ ସଂସ୍କାର ଆଣିଛନ୍ତି ।

କରୋନା ସମୟରେ ମୋଦି ସରକାର ସାଧାରଣ ଜନତାଙ୍କ ଯଥାସମ୍ଭବ ସାହାଯ୍ୟ କରିଛନ୍ତି । ମୋଦି ସରକାରଙ୍କ ଦ୍ୱାରା ନିକଟରେ ଅଣାଯାଇଥିବା କୃଷି ସଂସ୍କାର ଅଥବା ଏଫପିଓ କାରଣରୁ ଚାଷୀମାନେ ବିଶ୍ୱର ଯେକୌଣସି ସ୍ଥାନରେ ନିଜର ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବା ପାଇଁ ସମର୍ଥ ହେବେ । ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ସଂରକ୍ଷଣ ଓ ଅନ୍ୟାନ୍ୟ ସୁବିଧା ପାଇଁ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତିଭୂମି ପାଣ୍ଠି ଗଠନ କରାଯାଇଛି ।

ଆଜି ମଧ୍ୟ କୃଷକଙ୍କ ଲାଭ ପାଇଁ ଇଥାନଲର ପ୍ରକ୍ରିୟାକରଣ ମୂଲ୍ୟକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି । ବିହାରର ବିକାଶ ପାଇଁ ଏଠାରେ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି । ଏହି ନିର୍ବାଚନ ପ୍ରଚାର ଅବସରରେ ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

Comments are closed.