Odisha Link
Bridging the Missing Links in Odisha

ବାଲେଶ୍ବରରେ କଂଗ୍ରେସ୍‌ର ଉର୍ଦ୍ଦୁ ପୋଷ୍ଟର!

ଭୁବନେଶ୍ବର: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଥିବା ବେଳେ ଦୁଇଦିନ ପରେ ଏଠାରେ ମତଦାନ ହେବ। ତେବେ ଆଧୁନିକ ଓଡ଼ିଆ ସାହିତ୍ୟର ବ୍ୟାସ ଭାବେ ପରିଚିତ ଫକୀରମୋହନ ସେନାପତିଙ୍କ ଜନ୍ମ ଓ କର୍ମ ଭୂମି ତଥା ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ଏନ୍ତୁଡ଼ିଶାଳ ବାଲେଶ୍ବର ମାଟିରେ ଅଣଓଡ଼ିଆ ଭାଷାରେ ଏକ ନିର୍ବାଚନୀ ପ୍ରାଚୀରପତ୍ର ଆଜି ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

କଂଗ୍ରେସ ଦଳ ପ୍ରାର୍ଥୀ ଓ ଦଳୀୟ ନେତାମାନଙ୍କ ଫଟୋ ସମ୍ବଳିତ ଏହି ପ୍ରାଚୀରପତ୍ରଟି ଉର୍ଦ୍ଦୁ ଭାଷାରେ ଲେଖା ହୋଇଥିବା ବେଳେ ଏହା ବାଲେଶ୍ବରର କିଛି ଅଞ୍ଚଳରେ ଲଗାଯାଇଥିବା ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଛି। ପୂର୍ବରୁ ଭୁଲ ଓଡ଼ିଆ କହି ବିଜେପି ପ୍ରାର୍ଥୀ ଓ ନିଜ ନାମ ଓଡ଼ିଆରେ ଭୁଲ ଲେଖି ବିଜେଡି ପ୍ରାର୍ଥୀ ସମାଲୋଚନାର ଶରବ୍ୟ ହୋଇଥିବା ବେଳେ କଂଗ୍ରେସର ଏହି ପୋଷ୍ଟର ପୁଣି ରାଜନେତାଙ୍କ ଭାଷାବିରୋଧୀ ମନଭାବ ପଦାରେ ପକାଇଛି।

ତେବେ ଏ ପୋଷ୍ଟର ଟି ସତରେ କଂଗ୍ରେସ ପକ୍ଷରୁ ଲଗାଯାଇଛି ନା ଦଳକୁ ବଦନାମ କରିବାକୁ ଜାଣିଶୁଣି କେହି ଏଭଳି କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। କଂଗ୍ରେସ ଦଳ ଅଥବା ବାଲେଶ୍ବରରେ ଦଳୀୟ ପ୍ରାର୍ଥୀଙ୍କ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ।

Comments are closed.