Odisha Link
Bridging the Missing Links in Odisha

ଗ୍ରାଜୁଏଟ୍‌ ହୋଇ ପିଅନ କାମ କରୁଥିଲେ ଯୁବକ, ଜଣାପଡ଼ିବା ପରେ…

ନୂଆଦିଲ୍ଲୀ: ଆଜିର ସମୟରେ ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରିକି ବହୁ ଉଚ୍ଚ ଶିକ୍ଷିତ ପିଲା ପିଅନ୍‌ ପଦବୀ ପାଇଁ ମଧ୍ୟ ଆବେଦନ କରୁଥିବାର ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ଏମିତି ଏକ ଖବର ଆସିିଛି ଯାହା ଆପଣଙ୍କୁ ଚକିତ କରିଦେବ। ଅଧିକ ଶିକ୍ଷାଗତ ଯୋଗ୍ୟତା ପାଇଁ ଜଣେ ଯବୁକ ହରାଇଲେ ଚାକିରି।

ଅଧିକ ଶିକ୍ଷାଗତ ଯୋଗ୍ୟତା ଯୋଗୁ ଓଡ଼ିଶାର ଜଣେ ଯୁବକ ବ୍ୟାଙ୍କ୍‌ ଚାକିରି ହରାଇଛନ୍ତି। ତାଙ୍କୁ କାମ କରିବା ପାଇଁ ସୁଯୋଗ ଦିଆଯିବାକୁ ଦାବି କରି ସେ ଦାୟର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟର ଏକ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଚାକିରି ପାଇଁ ଆବେଦନ କରିବା ସମୟରେ ଭୁଲ ତଥ୍ୟ ଦେବା କିମ୍ବା ତଥ୍ୟ ଲୁଚାଇବା ବି ଏକ ଅପରାଧ।

ତା’ଛଡା ଏପରି ତଥ୍ୟ ଲୁଚାଇବା ଯୋଗୁ ଆଉ ଜଣେ ଯୋଗ୍ୟ ବ୍ୟକ୍ତି ସେଇ ଚାକିରି ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ତାଙ୍କୁ ପଦବିରୁ ବହିଷ୍କାର କରି ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଠିକ୍‌ କରିଛନ୍ତି। ଅମିତଙ୍କ ସପକ୍ଷରେ ଓଡ଼ିଶା ହାଇକୋର୍ଟ ପୂର୍ବରୁ ଦୁଇ ଥର ଦେଇଥିବା ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି।

ଅମିତ୍‌ ୨୦୧୪ରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ସୁଦ୍ଧା ନିଜ ଆବେଦନ ପତ୍ରରେ ସେ କେବଳ ଯୁକ୍ତ ଦୁଇ ଯାଏଁ ତଥ୍ୟ ପ୍ରଦାନ କରିଥିଲେ ଏବଂ ତାହା ଆଧାରରେ ଚାକିରି ପାଇଥିଲେ। ମାତ୍ର ପରେ ସେ ଜଣେ ସ୍ନାତକ ଡିଗ୍ରୀ ଧାରୀ ବୋଲି ଜାଣିବା ପରେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ତାଙ୍କୁ ପଦବିରୁ ବହିଷ୍କାର କରିଥିଲେ।

ସେ ଏହାକୁ ରାଜ୍ୟ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ ଯାହା ବିରୋଧରେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ସୂଚନାଥାଉକି, ଅମିତ୍‌ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ରେ ପିଅନ ଭାବେ ନିଯୁକ୍ତି ପାଇଥିଲେ। ଏହି ପଦରେ ନିଯୁକ୍ତି ପାଇଁ ପିଏନବି ଦ୍ୱାରା ଖବରକାଗଜରେ ଜାରି ବିଜ୍ଞପ୍ତି ଅନୁଯାୟୀ, ପ୍ରାର୍ଥୀ ଯୁକ୍ତ ଦୁଇ ପାସ୍‌ କରିବା ସହିତ ଉଭୟ ଓଡ଼ିଆ ଏବଂ ଇଂରାଜୀ କହିପାରୁଥିବା ଓ ଲେଖିପାରୁଥିବା ଦରକାର। ସେ କିନ୍ତୁ ସ୍ନାତକ ଡିଗ୍ରୀ ଧାରୀ ହୋଇନଥିବା ଆବଶ୍ୟକ। ୨୦୧୬ ଜାନୁଆରୀରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Comments are closed.