Odisha Link
Bridging the Missing Links in Odisha

ଆଜି ବି ମିଳିଲାନି ଜାମିନି, ନିଷ୍ପତ୍ତି ଝୁଲାଇ ରଖିଲେ କୋର୍ଟ

ମୁମ୍ବାଇ: ଚାରି ଦିନ ଧରି ଜେଲରେ ଥିବା ରିପବ୍ଲିକ୍‌ ଟିଭି ମୁଖ୍ୟ ଅର୍ଣବ ଗୋସ୍ବାମୀଙ୍କ ଜାମିନି ଆବେଦନ ନେଇ ଆଜି ବି ନିଷ୍ପତ୍ତି ହୋଇପାରିନାହିଁ। ଗତକାଲି ତାଙ୍କର ଜାମିନି ନାମାଞ୍ଜୁର ହୋଇଥିବା ବେଳେ ଆଜି ପୁନଃଶୁଣାଣି ହୋଇଥିଲା। ଅର୍ଣବଙ୍କ ପକ୍ଷ ରଖିବାକୁ ଦେଶର ୧୩ ଜଣ ନାମୀ ଓକିଲଙ୍କୁ ଦାୟିତ୍ବ ଦିଆ ଯାଇଥିବା ବେଳେ ଆଜି ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ବମ୍ବେ ହାଇକୋର୍ଟ ଆଜି ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି।

ନଭେମ୍ବର ୪ ତାରିଖ ସକାଳେ ଅର୍ଣବଙ୍କୁ ତାଙ୍କ ମୁମ୍ବାଇସ୍ଥିତ ବାସଭବନରୁ ଗିରଫ କରିଥିଲା ଅଲିଗଡ଼ ପୁଲିସ। ୨୦୧୮ ମସିହାରେ ଆର୍କିଟେକ୍ଟ ଅନ୍ବୟ ନାୟକ ଆତ୍ମହତ୍ୟା ଘଟଣାରେ ଅର୍ଣବଙ୍କ ସମେତ ଫିରୋଜ ଶେଖ୍‌ ଓ ନୀତୀଶ ଶାରଦାଙ୍କୁ ଗିରଫ କରିଥିଲା ପୁଲିସ। ଅନ୍ବୟ ନିଜର ସୁଇସାଇଡ୍‌ ନୋଟ୍‌ରେ ଏହି ତିନିଜଣଙ୍କ ଦାୟୀ କରିଥିବା ବେଳେ ଏମାନେ ୫ କୋଟିରୁ ଅଧିକ ଟଙ୍କା ବକେୟା ରଖିଥିବା ଅଭିଯୋଗ କରିଥିଲେ। ଗିରଫ ପରେ ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଥିଲେ ରାଇଗଡ଼ ସେସନ୍‌ କୋର୍ଟ।

କୌଣସି ପ୍ରମାଣ ନଥିବା ଦର୍ଶାଇ ଏହି ମାମଲାକୁ ବନ୍ଦ କରି ଦେଇଥିବା ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ମଧ୍ୟ ପୂର୍ବରୁ ପୁଲିସ ଗିରଫ କରିଛି। କେବଳ ଅର୍ଣବଙ୍କ ଅନ୍ତରୀଣ ଜାମିନି‌ ନେଇ ଉଚ୍ଚ ନ୍ୟାୟାଳୟ ଆଜି ଯୁକ୍ତି ଶୁଣିଥିବା ବେଳେ ତାଙ୍କ ଉପରୁ ମାମଲା ପ୍ରତ୍ୟାହାର ନେଇ ଶୁଣାଣି ଦୀପାବଳି ଛୁଟି ପରେ ଡିସେମ୍ବର ୧୦ ତାରିଖରେ ହେବ ବୋଲି ବମ୍ବେ ହାଇ କୋର୍ଟ କହିଛନ୍ତି। ତୁରନ୍ତ ଜାମିନି ମିଳିବା ନେଇ ଅର୍ଣବ ସେସନ୍‌ କୋର୍ଟରେ ଆବେଦନ କରିପାରିବେ ବୋଲି ନ୍ୟାୟମୂର୍ତ୍ତି ଏସ୍‌ ଏସ୍‌ ସିନ୍ଧେ ଓ ଏମ୍‌ ଏସ୍‌ କର୍ଣିକାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଜାମିନି ଆବେଦନ କରାଗଲେ ୪ ଦିନ ଭିତରେ ସେସନ୍‌ କୋର୍ଟ ଏ ନେଇ ନିଷ୍ପତ୍ତି ଜଣାଇବେ ବୋଲି ଖଣ୍ଡପୀଠ କହିଛନ୍ତି।

Comments are closed.