Odisha Link
Bridging the Missing Links in Odisha

ବିହାର ନିର୍ବାଚନ ଫଳାଫଳ: କିଏ ପିନ୍ଧିବ ବିଜୟର ମୁକୁଟ ? ଅପରାହ୍ନକୁ ଅପେକ୍ଷା

ପାଟନା: ଆଉ କେଇ ଘଣ୍ଟାର ଅପେକ୍ଷା ପରେ ପ୍ରକାଶ ପାଇବ ବିହାର ବିଧାନସଭା ନିର୍ବାଚନ ଫଳାଫଳ। କରୋନା କାଳରେ ବିହାରରେ ହୋଇଥିବା ବିଧାନସଭା ନିର୍ବାଚନରେ କିଏ ବାଜି ମାରିବ ଓ କିଏ ରାଜ୍ୟର ଶାସନ ଗାଦଦିରେ ବସିବ ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। ଠିକ୍‌ ମଙ୍ଗଳବାର ସକାଳ ୮ଟା ହେଲେ ଆରମ୍ଭ ହେବ ଭୋଟ ଗଣତି। ଏହାପରେ ରାଜ୍ୟରେ ପରବର୍ତ୍ତୀ ସରକାର କିଏ ଗଢୁଛି ତାହା ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ।

ଆଉ କିଛି ସମୟ ପରେ ବିହାର ବିଧାନସଭାର ସମସ୍ତ ୨୪୩ ଆସନରେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ପରିଣାମର ପ୍ରାରମ୍ଭିକ ଟ୍ରେଣ୍ଡ ସକାଳ ସକାଳ ୯ଟାରୁ ଆସିବା ଆରମ୍ଭ ହୋଇଯିବ। ବାସ୍ତବିକ ପରିଣାମ ୨-୩ ଟାରେ ଆସିବା ଆରମ୍ଭ ହୋଇଯିବ। ନିର୍ବାଚନ ଆୟୋଗ ଦ୍ଵାରା ରାଜ୍ୟର ସମସ୍ତ ୩୮ ଜିଲ୍ଲାରେ ୫୫ ମତଗଣନା କେନ୍ଦ୍ର କରାଯାଇଛି।

ନିର୍ବାଚନ ଆୟୋଗର ଅଧିକାରୀଙ୍କ ଅନୁଯାୟୀ, ସର୍ବ ପ୍ରଥମେ ବାଲାଟ୍ ପେପରରେ ଦିଆଯାଇଥିବା ମତ ପତ୍ରର ଗଣତି କରାଯିବ। ସକାଳ ୮ଟା ୧୫ରୁ ଇଭିଏମର ଗଣନା ଆରମ୍ଭ ହୋଇଯିବ। ଅଧିକାରୀଙ୍କ ଅନୁଯାୟୀ ଗୋଟିଏ ରାଉଣ୍ଡ ଗଣନାରେ ୧୫ ରୁ ୨୦ ମିନିଟ୍‌ ସମୟ ଲାଗିବ। ଏଥିପାଇଁ ପ୍ରଥମ ଟ୍ରେଣ୍ଡ ସକାଳ ୮ଟା ୩୦ ସୁଦ୍ଧା ଆସିବାର ସମ୍ଭାବନା ରହିଛି। ଭୋଟ୍ ଗଣତିରେ ପ୍ରାୟ ୬୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। କୋଭିଡ୍-୧୯କୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ଵ ପାଳନ କରାଯିବ।

ଉଲ୍ଲେଖନୀୟ ବିହାର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସମାପ୍ତ ହେବା ପରେ ନ୍ୟୁଜ୍ ଚ୍ୟାନେଲ ଏବଂ ଏକଜିଟ୍ ପୋଲ୍ ଏଜେନ୍ସି ନିଜର ଏକ୍‌ଜିଟ୍ ପୋଲ୍‌ର ଫଳାଫଳ ଘୋଷଣା କରିଥିଲେ। ଏକ୍‌ଜିଟ୍‌ ପୋଲ୍‌ ବିହାରରେ ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ କଡା ଟକ୍କର ହେବ ବୋଲି ଭବିଷ୍ୟତବାଣୀ କରିଛି। ସମସ୍ତ ଏକ୍‌ଜିଟ୍‌ ପୋଲ୍ ମହାମେଣ୍ଟ ଆଗୁଆ ରହିଥିବା ସଙ୍କେତ ଦେଇଛି। ତେଜସ୍ଵୀ ଯାଦବଙ୍କ ଲୋକପ୍ରିୟତା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କଠୁ ଅଧିକ ଥିବା ପୋଲ୍‌ରୁ ଜଣା ପଡିଛି। ତେବେ ନିର୍ବାଚନ ଫଳାଫଳରେ କିଏ ବାଜି ମାରିବ ଓ କିଏ ରାଜ୍ୟର ଶାସନ ଭାର ସମ୍ଭାଳିବ ତାହା ଅପରାହ୍ନରେ ସ୍ପଷ୍ଟ ହୋଇଯିବ।

Comments are closed.