Odisha Link
Bridging the Missing Links in Odisha

ଉପନିର୍ବାଚନ ଫଳାଫଳ: ବାଜି ମାରିବ କେଉଁ ଦଳ?

ଭୁବନେଶ୍ବର: କରୋନା କାଳରେ ରାଜ୍ୟରେ ଅନୁଷ୍ଠିତ ହୋଇଥିଲା ଦୁଇ ଦୁଇଟି ଉପନିର୍ବାଚନ। ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସ ତାର ପରାଜୟ ସ୍ବୀକାର କରିଥିବା ବେଳେ ଏହି ଉପନିର୍ବାଚନରେ ବାଜି ମାରିବ କିଏ? ଶଙ୍ଖ ବାଜିବ ନା ଫୁଲ ଫୁଟିବ? କାହାର ହେବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ?ଏନେଇ ପ୍ରାର୍ଥୀ ଓ ଦଳୀୟ ନେତା ଆଶା ଆଶଙ୍କାରେ ଥିବା ବେଳେ ଆଉ କିଛି ସମୟ ପରେ ଖୋଲିବ ଇଭିଏମ୍‌। ଏଥିପାଇଁ ବାଲଶ୍ବେର ଓ ତିର୍ତ୍ତୋଲରେ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ। ସୂଚନାଥାଉକି, ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ହୋଇଥିଲା।

ବାଲେଶ୍ୱର ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓ ତିର୍ତ୍ତୋଲ ପାଇଁ ଏସଭିଏମ୍ କଲେଜ ପରିସରରେ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହେବ। କରୋନା କଟକଣା ଭିତରେ ମୋଟ୍‌ ୨୫ ରାଉଣ୍ଡ କାଉଣ୍ଟିଂ ହେବ।ଇଭିଏମ୍ ଓ ଭିଭିପ୍ୟାଟ୍ ଗଣତି ପାଇଁ ୭ଟି ଲେଖାଏଁ ଟେବୁଲ ଓ ପୋଷ୍ଟାଲ ବାଲାଟ୍ ଗଣତି ପାଇଁ ଗୋଟିଏ ଟେବୁଲ ପ୍ରସ୍ତୁତ ରଖାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।

ତିର୍ତ୍ତୋଲରେ ୩୭୩ଟି ବୁଥ ଓ ବାଲେଶ୍ୱରରେ ୩୪୬ଟି ବୁଥରେ ମତଦାନ ହୋଇଥିବାବେଳେ କୋଭିଡ୍ କଟକଣା ଓ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଏଥର କାଉଣ୍ଟିଂ ଏଜେଣ୍ଟମାନଙ୍କ ପାଇଁ ପ୍ରତି ରାଉଣ୍ଡର ଫଳାଫଳ ଜାଣିବା ନିମନ୍ତେ ପ୍ରତି ଭୋଟ ଗଣତି ଟେବୁଲ ନିକଟରେ ଏକ ବଡ଼ ସ୍କ୍ରିନ୍ ବ୍ୟବସ୍ଥା କରାଯାଇଛି। କୋଭିଡ୍ ଗାଇଡଲାଇନ୍ ପାଳନ କରି ଭୋଟଗଣତି କାର୍ଯ୍ୟ କରାଯିବ। ଭୋଟଗଣତି ଶେଷରେ ଯେକୌଣସି ୫ଟି ବୁଥର ଭିଭିପ୍ୟାଟ୍ ଥିବା ପେପର ସ୍ଲିପଗୁଡ଼ିକରେ ଗଣତି କରାଯିବ ବୋଲି ସିଇଓ ଶ୍ରୀ ଲୋହାନୀ କହିଛନ୍ତି।

ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ୩ଜଣ ଅତିରିକ୍ତ ସହକାରୀ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ଜଣ ଅତିରିକ୍ତ ସହକାରୀ ରିଟର୍ଣ୍ଣିଂ ଅଫିସରଙ୍କୁ ଭୋଟଗଣତି କାର୍ଯ୍ୟ ନିମନ୍ତେ ନିଯୁକ୍ତି କରାଯାଇଛି। ସର୍ବପ୍ରଥମେ ପୋଷ୍ଟାଲ ବାଲାଟ୍ ଭୋଟ ଗଣତି ହେବ ଓ ଏହାର ଅଧଘଣ୍ଟା ପରେ ଇଭିଏମ୍ ଭୋଟ ଗଣତି କରାଯିବ। ପ୍ରତି ଭୋଟଗଣତି ଟେବୁଲରେ ୩ଜଣ ଯଥା-ଜଣେ କାଉଟିଂ ଆସିଷ୍ଟାଣ୍ଟ, ଜଣେ କାଉଣ୍ଟିଂ ସୁପରଭାଇଜର ଓ ଜଣେ ମାଇକ୍ରୋଅବଜରଭର ରହିବେ। ଉଭୟ ନିର୍ବାଚନମଣ୍ଡଳୀରେ ମୋଟ ୧୧୦ଜଣ କାଉଣ୍ଟିଂ କର୍ମଚାରୀ ଓ ୫୭ଜଣ ମାଇକ୍ରୋ ଅବଜରଭର ଭୋଟଗଣତି କାର୍ଯ୍ୟରେ ନିୟୋଜିତ ହେବେ।

ସୂଚନାଯୋଗ୍ୟ, ବାଲେଶ୍ୱର ଆସନରେ ୬ଜଣ ପ୍ରାର୍ଥୀ ଓ ତିର୍ତ୍ତୋଲରେ ୯ଜଣ ପ୍ରାର୍ଥୀ ଥିବାବେଳେ ଉଭୟ ଆସନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଜଣାପଡ଼ିଛି। ବାଲେଶ୍ୱରରେ ୭୦.୬୯% ଓ ତିର୍ତ୍ତୋଲରେ ୬୯.୬୬ ମତଦାନ ହୋଇଥିଲା।

Comments are closed.