ଅର୍ଣ୍ଣବଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ରିପବ୍ଲିକ୍ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମିଳିଲା ଜାମିନ୍। ଅର୍ଣ୍ଣବଙ୍କୁ ଜାମିନ ମଞ୍ଜୁର କଲେ ସୁପ୍ରିମକୋର୍ଟ। ୮ ଦିନ ପରେ ଆଜି ଜେଲରୁ ମୁକ୍ତି ପାଇବେ ଅର୍ଣ୍ଣବ ଗୋସ୍ବାମୀ। ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ତାଙ୍କର ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତର ସ୍ୱତନ୍ତ୍ର ବେଞ୍ଚ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି।
ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ଦ୍ୱାରା ଗଠିତ ଦୁଇ ଜଣିଆ ବେଞ୍ଚ ଏହି ମାମଲାର ଆଜି ଶୁଣାଣି କରିଛନ୍ତି। ପୂର୍ବରୁ ଅର୍ଣ୍ଣବଙ୍କ ଜାମିନ ଆବେଦନ ଖାରଜ କରିଥିଲା ବମ୍ବେ ହାଇକୋର୍ଟ। ବମ୍ବେ ହାଇକୋର୍ଟରୁ ନିରାଶ ପରେ ସୁପ୍ରିମକୋର୍ଟ ଯାଇଥିଲେ ଅର୍ଣ୍ଣବ।
ଆଜି ଶୁଣାଣିରେ ବମ୍ବେ ହାଇକୋର୍ଟ ଉପରେ ଜଷ୍ଟିସ ଚନ୍ଦ୍ରଚୁଡ଼ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ବମ୍ୱେ ହାଇକୋର୍ଟ ନିଜ ଆଦେଶରେ ୫୦ରୁ ଅଧିକ ପୃଷ୍ଠାର ରାୟ ଦେଇଛନ୍ତି। ହେଲେ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଅପରାଧ କଣ ରହିଛି ଉଲ୍ଲେଖ କରି ନାହାନ୍ତି। ଯାହାକୁ ନେଇ ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଇଣ୍ଟେରିଅର ଡିଜାଇନରଙ୍କୁ ବକେୟା ନେଣ ଦେଣର ମାମଲା ରହିଛି ତାହେଲେ ଏହା କିଭଳି ଆତ୍ମହତ୍ୟା ପାଇଁ ଉସକାଗଲା ବୋଲି ଜଷ୍ଟିସ ଚନ୍ଦ୍ରଚୁଡ ଟିପ୍ପଣୀ କରିଛନ୍ତି। ବମ୍ୱେ ହାଇକୋର୍ଟଙ୍କ ପାଖରେ ଜାମିନ୍ ଦେବାର ଅଧିକାର ରହିଛି, ଗୋସ୍ୱାମୀଙ୍କ ଅପରାଧ ଉଲ୍ଲେଖ ନକରି ଜାମିନ୍ ନଦେବା ନେଇ ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଅସନ୍ତୋଷ ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ, ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୨୦୧୮ ମସିହାରେ ଆତ୍ମହତ୍ୟା କରିଥିବା ୫୩ ବର୍ଷୀୟ ଆର୍କିଟେକଚର ଓ ଡିଜାଇନର ଅନଭୟ ନାଏକ ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ମାମଲାରେ ଚଳିତ ମାସ ୪ ତାରିଖରେ ଗିରଫ କରାଯାଇ ଥିଲା। ତାଙ୍କୁ ମୁମ୍ବାଇ ବାସଭବନରୁ ପୁଲିସ ଗିରଫ କରିଥିଲା। ସେଦିନ ତଳ କୋର୍ଟ ତାଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ଜେଲକୁ ପଠାଇଥିଲେ।
Comments are closed.