ଏଣିକି ଟ୍ରେନ୍ ଭିତରେ ଦାଖଲ କରିହେବ ଏତଲା

ଭୁବନେଶ୍ବର: ଏଣିକି ଟ୍ରେନ୍ରେ ରୁଜୁ କରି ହେବ ଏତଲା। ଟ୍ରେନ୍ରେ ଯିବା ସମୟରେ ଚୋରି କିମ୍ବା କୌଣସି ଅପରାଧିକ ମାମଲା ପାଇଁ ଆଉ ଷ୍ଟେସନ୍ରେ ଓହ୍ଲାଇ ଏତଲା ଦେବାକୁ ପଡ଼ିବ ନାହିଁ। ଏଣିକି ଟ୍ରେନ୍ ଭିତରେ ଏତଲା ଦାଖଲ କରିହେବ।
ରେଳ ସୁରକ୍ଷା ବଳ (ଆର୍ପିଏଫ୍) ଏବଂ ସରକାରୀ ରେଳ ପୁଲିସ (ଜିଆର୍ପି) ଦ୍ୱାରା ପୂର୍ବତଟ ରେଳପଥ ମଧ୍ୟରେ ୧୦୦ ସ୍ୱତନ୍ତ୍ର ଟ୍ରେନ୍ରେ ଏସ୍କର୍ଟିଙ୍ଗ୍ କରାଯିବ। ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ରେ ଏସ୍କର୍ଟିଙ୍ଗ ଷ୍ଟାଫ୍ମାନଙ୍କ ପାଖରେ ଏଫଆଇଆର ଫର୍ମ ରହିବ। କୋଚ୍ ନମ୍ବର ଏସ-୧ରେ ବର୍ଥ ନମ୍ବର ୬୩ ସୁରକ୍ଷା କର୍ମୀଙ୍କ ପାଇଁ ସ୍ଥିର କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ଅଫ୍ଲାଇନ୍ରେ ଚଳାଚଳ କରୁଥିବା ୨୫ ନିୟମିତ ସ୍ୱତନ୍ତ୍ର ଟ୍ରେନ୍ ଓ ୨୪ଟି ଫେଷ୍ଟିଭାଲ୍ ସ୍ପେଶାଲ୍ ଟ୍ରେନ୍, ଡାଉନ୍ ଲାଇନ୍ରେ ୨୬ଟି ସ୍ୱତନ୍ତ୍ର ଟ୍ରେନ୍ ଓ ୨୫ଟି ଫେଷ୍ଟିଭାଲ୍ ସ୍ପେଶାଲ୍ ଟ୍ରେନ୍ରେ ଏହି ସୁବିଧା ରହିବ।
ପୂର୍ବରୁ ରେଳରେ ଯାତ୍ରା କରିବା ସମୟରେ କୌଣସି ଅପରାଧିକ ମାମଲା ପାଇଁ ଯାତ୍ରୀଙ୍କୁ ହଇରାଣ ହେବାକୁ ପଡୁଥିଲା। ଯାତ୍ରା ଅଧାରୁ ଷ୍ଟେସନ୍ରେ ଓହ୍ଲାଇ ଏତଲା ଦେବାକୁ ପଡୁଥିଲା। ନଚେତ୍ ଯାତ୍ରା ଶେଷ କରିବା ପରେ ଅଭିଯୋଗ ଦାଖଲ କରୁଥିଲେ। ବର୍ତ୍ତମାନ ଯାତ୍ରୀମାନେ ଏହିପରି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ରେଳ ପରିସର ତଥା ଟ୍ରେନ୍ ଯାତ୍ରା ସମୟରେ ସାମାଜିକ ତଥା ଅପରାଧିକ କାର୍ଯ୍ୟକଳାପ ବିରାଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିବାକୁ ଉଭୟ ମୁଖ୍ୟାଳୟ ତଥା ରେଳମଣ୍ଡଳ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.