ଦିବଙ୍ଗତ ସାମ୍ବାଦିକ ତାରିଣୀ ପାଢ଼ୀଙ୍କ ପରିବାରକୁ ୧୫ ଲକ୍ଷର ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାରେ ‘ପ୍ରମେୟ ଓଡ଼ିଆ’ ଖବରକାଗଜ ପାଇଁ କାର୍ଯ୍ୟ କରୁଥିବା ସାମ୍ବାଦିକ ତାରିଣୀ ଚନ୍ଦ୍ର ପାଢ଼ୀ କରୋନା ଆକ୍ରାନ୍ତ ହୋଇ ଗତ ସେପ୍ଟେମ୍ବର ୨୯ ରେ ଭୁବନେଶ୍ୱରସ୍ଥିତ କିମସ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଆକ୍ରାନ୍ତରେ ମୃତ ସାମ୍ବାଦିକଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ନିକଟ ସମ୍ପର୍କୀୟଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା।
ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଗତକାଲି ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଞ୍ଜୁର କରାଯାଇଛି। କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସାମ୍ବାଦିକ ତାରିଣୀ ଚନ୍ଦ୍ର ପାଢ଼ୀଙ୍କ ପତ୍ନୀ ସବିତା ପାଢ଼ୀଙ୍କୁ ଏହି ୧୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାର ପକ୍ଷରୁ ମଞ୍ଜୁର କରାଯାଇଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ @prameyaodia ର ସାମ୍ବାଦିକ ତାରିଣୀ ଚନ୍ଦ୍ର ପାଢୀ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ସ୍ବର୍ଗତ ପାଢୀଙ୍କ ପତ୍ନୀଙ୍କୁ ପ୍ରଦାନ କରାଯିବା ପାଇଁ ମଞ୍ଜୁର କରିଛନ୍ତି।
— I & PR Department, Odisha (@IPR_Odisha) November 11, 2020
ସୂଚନାଯୋଗ୍ୟ, ଦିବଙ୍ଗତ ସାମ୍ବାଦିକ ତାରିଣୀ ଚନ୍ଦ୍ର ପାଢୀଙ୍କର ସେପ୍ଟେମ୍ବର ୨୯ ତାରିଖ ସକାଳ ୭ ଘଟିକା ସମୟରେ ଭୁବନଶ୍ୱେର କିମ୍ସ କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାରିଣୀ ପାଢ଼ୀଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ତାଙ୍କ ପରିବାରରେ ପତ୍ନୀ, ଦୁଇ ଝିଅ ତନ୍ମୟୀ ଓ ତୃପ୍ତିମୟୀ ଅଛନ୍ତି। ତାରିଣୀଙ୍କ ପରିବାର ନବରଙ୍ଗପୁର ଜିଲ୍ଲା ବାଦଡ଼ାଗୁଡ଼ା ସାହିର ବାସିନ୍ଦା।
Comments are closed.