Odisha Link
Bridging the Missing Links in Odisha

ନାସା ହ୍ୟୁମାନ ରୋଭର ଚ୍ୟାଲେଞ୍ଜରେ ୧୦ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆନ୍ତର୍ଜାତିକ ପ୍ରତିଯୋଗିତା ନାସା ହ୍ୟୁମାନ ରୋଭର ଚ୍ୟାଲେଞ୍ଜରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଓଡ଼ିଶାରୁ ୧୦ ଜଣ ସ୍କୁଲ ଛାତ୍ରଛାତ୍ରୀ। ଭାରତରେ ପ୍ରଥମ ଥର ପାଇଁ ସ୍କୁଲ୍ ପିଲାଙ୍କୁ ନେଇ ଏକ ଟିମ୍ ଏଥିପାଇଁ ଚୟନ କରାଯାଇଛି। ଆବେଦନ କରିଥିବା ୮୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଓଡ଼ିଶାର ବଛାବଛା ୧୦ ଜଣ ପିଲାଙ୍କୁ ନେଇ ଏହି ଟିମ୍ ଗଠିତ ହୋଇଛି। ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ୱାରା ଆସନ୍ତା ଏପ୍ରିଲରେ ଆୟୋଜନ ହେବ ଏହି ଆନ୍ତର୍ଜାତିକ ପ୍ରତିଯୋଗିତା। ଏଥିପାଇଁ ଜାତୀୟ ନବୋନ୍ମେଷ ପ୍ରସାର ଫାଉଣ୍ଡେସନ୍‌ପକ୍ଷରୁ ଏହି ପ୍ରତିଭା ଚୟନ କରାଯାଇଥିଲା।

ଛାତ୍ରଛାତ୍ରୀମାନେ ଏଭଳି ଏକ ହ୍ୟୁମ୍ୟାନ୍ ରୋଭର ପ୍ରସ୍ତୁତ କରିବେ ଯାହା ମଙ୍ଗଳ ପୃଷ୍ଠରେ ଚାଲି ପାରିବ। ୪ରୁ ୫ ମାସ ଭିତରେ ଏହି ରୋଭର ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଛାତ୍ରଛାତ୍ରୀ।

୧୪ ବର୍ଷରୁ କମ୍‌ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଏହି ଗବେଷଣା କାର୍ଯ୍ୟକ୍ରମରେ ଭାରତରୁ ଏକମାତ୍ର ଟିମ୍‌ ଭାବେ ‘ନାସା’ ଯିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଏହି ଟିମ୍‌ରେ ଛାତ୍ର ରିଷିକେଶ ଅମିତ ନାୟକ ନେତୃତ୍ୱ ନେଇଥିବା ବେଳେ ଅଞ୍ଜିଷ୍ଣୁ ପଟ୍ଟନାୟକ, ଶ୍ରେୟାଂଶ ବିକାଶ ମିଶ୍ର, ଅଙ୍କନ ମଣ୍ଡଳ, ନୀତିଶ ପଟ୍ଟନାୟକ, ଦାତି ଦଣ୍ଡପାଣି ପାତ୍ର, କୈଳାଶ ଚନ୍ଦ୍ର ବାରିକ୍‌, ତନ୍ୱୀ ମଲ୍ଲିକ୍‌, କନୁରୀ ବର୍ଶନୀ ରଶ୍ମିରଞ୍ଜନ ମହାପାତ୍ର, ଆଶିଷ ପାଣ୍ଡେ, ବିମଳକୃଷ୍ଣ ମିଶ୍ର, ଅନିଲ ପ୍ରଧାନ, ବୈଶାଳୀ ଶର୍ମା ସ୍ଥାନ ପାଇଛନ୍ତି। ଏମାନଙ୍କ ସହିତ ଶିକ୍ଷାବିତ୍‌ ଅମିତ ପାଣିଗ୍ରାହୀ, ଅନୁରାଗ ବେହେରା, ଉମେଶ ଏକ୍କା, ସିଦ୍ଧାନ୍ତ ପାତ୍ର ନାସା ଯିବେ ବୋଲି ସାମ୍ବାଦିକ ସମ୍ମିଳନୀରେ “ନାପସାତ’ ପକ୍ଷରୁ ସୂଚନା ଦିଆଯାଇଛି।

ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉଦ୍ଭାବନ କରାଯାଇଥିବା ରୋଭର୍ସ ଗାଡି ଚନ୍ଦ୍ରପୃଷ୍ଠରେ ଚାଲିଥିବା ଗବେଷଣା କ୍ଷେତ୍ରରେ ନିୟୋଜିତ ହେବା ପାଇଁ ବ୍ୟବହାର କରାଯିବ। ଦୁଇ ଜଣ ଚାଳକଙ୍କ ଦ୍ୱାରା ଏହି ରୋଭର୍ସକୁ ଚନ୍ଦ୍ରପୃଷ୍ଠରେ ଚଲାଯାଇ ପାରିବ। ଆନ୍ତର୍ଜାତିକ ପ୍ରତିଯୋଗିତାରେ ୧୦୦ଟି ରୋଭର୍ସ ସ୍ଥାନ ପାଇଛି। ସେଥିମଧ୍ୟରୁ ଭାରତର ଏକମାତ୍ର ରୋଭର୍ସ ମଧ୍ୟ ରହିଛି। ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ରୋଭର୍ସକୁ ଚନ୍ଦ୍ରପୃଷ୍ଠକୁ ନିଆଯିବ ବୋଲି ସୂଚନା ମିଳିଛି।

Comments are closed.