Odisha Link
Bridging the Missing Links in Odisha

ସ୍ୱାଭିମାନ ଅଞ୍ଚଳକୁ ଅଗ୍ରଣୀ ଅଞ୍ଚଳ ଭାବେ ଗଢ଼ିତୋଳିବାକୁ ମୁଁ ଉଦ୍ୟମରତ: ମୁଖ୍ୟମନ୍ତ୍ରୀ

ମାଲକାନଗିରି: ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାଭିମାନ ଅଞ୍ଚଳର ବିକାଶ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ କଥା ହୋଇ କହିଛନ୍ତି ଯେ, ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଏବେ ପ୍ରଗତି ପଥରେ। ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ରାସ୍ତାଘାଟ ଏବଂ ବିଦ୍ୟୁତ୍‌ ସେବା ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ। ଡିପ୍‌ ବୋରଓ୍ବେଲ ଜରିଆରେ ଜମିକୁ ଜଳସେଚନ କରାଯିବ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସ୍ୱାଭିମାନ ଅଞ୍ଚଳରେ ୪ ଟି ମୋବାଇଲ ଟାଓ୍ବାର ହୋଇଛି। ଆଉ ୩ଟି ମୋବାଇଲ ଟାଓ୍ବାର ହେବ। ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ସ୍ମାର୍ଟ ଫୋନ୍‌ ଯୋଗାଇ ଦିଆଯିବ। ଏହି ଅବସରରେ ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ମୋବାଇଲ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ଥାନୀୟ ୯ଟି ପଞ୍ଚାୟତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪-ଜି ମୋବାଇଲ ଫୋନ ବଣ୍ଟନ ହୋଇଛି ଫଳରେ ପିଲାଏ ଅନଲାଇନରେ ପାଠ ପଢିବା ସହ ସରକାରୀ ଯୋଜନାର ଲାଭ ପାଇପାରିବେ।

ଏଥିସହ ମାଓ କ୍ୟାଡର ହିଂସା ଛାଡ଼ି ମୁଖ୍ୟ ଧାରାକୁ ଫେରି ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ମୁଖ୍ୟ ସ୍ରୋତକୁ ଫେରିଆସି ଅଞ୍ଚଳର ବିକାଶରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ୱାଭିମାନ ଅଞ୍ଚଳକୁ ଅଗ୍ରଣୀ ଅଞ୍ଚଳ ଭାବେ ଗଢ଼ିତୋଳିବାକୁ ମୁଁ ଉଦ୍ୟମରତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ରେ ଏଠାରେ ଗୁରୁପ୍ରିୟା ସେତୁର ଉଦଘାଟନ ହୋଇଥିଲା। କିଛି ବର୍ଷ ମଧ୍ୟରେ ଅଞ୍ଚଳରେ ଗମନାଗମନର ବ୍ୟବସ୍ଥା ସହ ଟେଲି କମ୍ୟୁନିକେସନର ବ୍ୟବସ୍ଥା କରିଛନ୍ତି ସରକାର। ସ୍ଥାନୀୟ ଅଞ୍ଚଳରେ ୧୪ଟି ନୂଆ ରାସ୍ତା ତିଆରି ନେଇ ଟେଣ୍ଡର ଦିଆଯାଇଥିବା ବେଳେ, ୭ଟି ରାସ୍ତାର କାର୍ଯ୍ୟ ଜାରି ରହିଛି। ସ୍ୱାଭିମାନ ଅଞ୍ଚଳରେ ୪ଟି ଟେଲିଫୋନ ଟାଓ୍ୱାର ପ୍ରତିଷ୍ଠା କରିଛନ୍ତି ସରକାର।

Comments are closed.