Odisha Link
Bridging the Missing Links in Odisha

ଦିଲ୍ଲୀରେ କୋଭିଡ ସଂକ୍ରମଣର ତୃତୀୟ ଲହଡି ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀରେ ଶୁକ୍ରବାର ଠାରୁ ଡୋର ଟୁ ଡୋର ସର୍ଭେ ଆରମ୍ଭ ହୋଇଛି। ନଭେମ୍ବର ମାସରୁ ଦିଲ୍ଲୀରେ କୋଭିଡ ସଂକ୍ରମଣର ତୃତୀୟ ଲହଡି ଆରମ୍ଭ ହୋଇଛି। ପ୍ରତିଦିନ ୬ରୁ ୭ହଜାର ନୂଆ ସଂକ୍ରମିତ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ସଂକ୍ରମଣକୁ ଆୟତ କରିବା ପାଇଁ କିଛି ବଡ ପଦକ୍ଷେପ ନେଇଛନ୍ତି କେଜ୍ରିୱାଲ ସରକାର ।

ଅପରପକ୍ଷରେ ମାସ୍କ ନପିନ୍ଧିଲେ ୨ହଜାର ଟଙ୍କା ଜରିମାନା ନିୟମ ହୋଇଛି। ଯାହାକୁ ନେଇ ପୋଲିସର ଚେକିଂ ଜୋରଦାର ହୋଇଛି । ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ଠାରୁ ୨ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଉଛି। ସେପଟେ ଘରେ ରହି ଛଟ ପୂଜା କରିବାକୁ ଦିଲ୍ଲୀ ସରକାର ବାରମ୍ବାର ନିବେଦନ କରୁଥିବା ବେଳେ ହାଟ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ରାଜଧାନୀ ଦିଲ୍ଲୀରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି ମୁମ୍ବାଇ ଦିଲ୍ଲୀ ମଧ୍ୟରେ ବିମାନ ଚଳାଚଳ ବନ୍ଦ କରିବାକୁ ବିଚାର କରୁଛନ୍ତି ମହାରାଷ୍ଟ୍ର ସରକାର । କେବଳ ଏତିକି ନୁହେଁ ଏହାସହ ଟ୍ରେନ ଚଳାଚଳ ଉପରେ ମଧ୍ୟ ଲାଗିପାରେ କଟକଣା । ଠାକରେ ସରକାର ଏନେଇ ବଡ ନିଷ୍ପତି ନେଇପାରନ୍ତି ।

ରାଜଧାନୀ ଦିଲ୍ଲୀରେ ଅଣାୟତ ହେଉଛି ସଂକ୍ରମଣ । ଗତ ୨୪ ଘଂଟାରେ ୯୮ଜଣଙ୍କ ମୃତ୍ୟୁ ହୋଇଛି ଏହାସହ ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ଟପିଛି । ଏବେ ଦିଲ୍ଲୀର ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୬ରେ ପହଂଚିଛି ।

ସେହିପରି ୨୪ ଘଂଟାରେ ୭ହଜାର ୫୪୬ ନୂଆ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ମୋଟ ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୧୦ ହଜାର ୬୩୦କୁ ବୃଦ୍ଧି ପାଇଛି । ବୁଧବାର ଦିଲ୍ଲୀରେ ସର୍ବାଧିକ ୧୩୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା ।

Comments are closed.