Odisha Link
Bridging the Missing Links in Odisha

ବିଧାୟକଙ୍କ କୋଭିଡ ରିପୋର୍ଟ ଦ୍ୱନ୍ଦ୍ୱରେ

ଭୁବନେଶ୍ୱର: ବିଧାନସଭା ଶୀତଅଧିବେଶନର ଆଜି ଦ୍ବିତୀୟ ଦିନ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଶୀତଅଧିବେଶନ ପାଇଁ ବିଧାୟକଙ୍କ ସମେତ ଅନ୍ୟ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଇଥିଲା। ନେଗେଟିଭ ରିପୋର୍ଟ ଆସିଥିବା ବିଧାୟକମାନେ ହିଁ ଗୃହ କାର୍ଯ୍ୟରେ ଅଂଶ ଗ୍ରହଣ କରୁଛନ୍ତି। ତେବେ କୋଭିଡ ଟେଷ୍ଟ ରିପୋର୍ଟକୁ ନେଇ ଜଣେ ବିଧାୟକ ସନ୍ଦେହ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ବିଧାୟକ ଜଣକ ହେଲେ ବିଜେପି ବିଧାୟକ ନାଉରୀ ନାଏକ।

ଗତ ୧୯ ତାରିଖରେ ବିଧାନସଭା ପରିସରରେ କୋଭିଡ ଟେଷ୍ଟ କରାଇଥିଲେ। ତେବେ ବିଧାୟକ ଶ୍ରୀ ନାଏକଙ୍କର ରିପୋର୍ଟ ପଜିଟିଭ ଆସିଥିବା ନେଇ ସେହି ୧୯ ତାରିଖ ରାତିରେ ତାଙ୍କୁ ଫୋନ ଯୋଗେ ଜଣାଇ ଦିଆଯାଇଥିଲା। ତେବେ ଗତକାଲି ଶ୍ରୀ ନାଏକ ଆଇସିଏମଆର ଅନୁମୋଦିତ ଏକ ଘରୋଇ ସଂସ୍ଥାରେ ପୁଣି ନିଜର କୋଭିଡ ଟେଷ୍ଟ କରାଇଥିଲେ। ଉକ୍ତ ଟେଷ୍ଟ ରିପୋର୍ଟରେ ସାମ୍ପଲ ନେଗେଟିଭ ଆସିଥିଲା।

ନେଗେଟିଭ ରିପୋର୍ଟ ନେଇ ବିଧାୟକ ନାଉରୀ ନାଏକ ସଚିବଙ୍କୁ ଅବଗତ କରାଇଥିଲେ। ଏପରିକି ଏନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଜଣାଇବା ପରେ ବାଚସ୍ପତି ଆଉଥରେ ଟେଷ୍ଟ କରାଇବାକୁ କହିଥିବା ନେଇ ଶ୍ରୀ ନାଏକ କହିଛନ୍ତି। ପୁନଃ ଟେଷ୍ଟ ନିର୍ଦ୍ଦେଶ ପରେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଶ୍ରୀ ନାଏକଙ୍କ ସ୍ୱାବ ସଂଗ୍ରହ କରାଯାଇଛି ତେବେ ପ୍ରଥମେ ପଜିଟିଭ ଓ ପରେ ନେଗେଟିଭ ରିପୋର୍ଟ ନେଇ ବିଧାୟକ ନାଉରୀ ନାଏକ ସନ୍ଦେହ ପ୍ରକାଶ କରିଛନ୍ତି।

Comments are closed.