Odisha Link
Bridging the Missing Links in Odisha

୨ ଦିନ ପରେ ନାଗାର୍ଜୁନ ବେଶ, ସୁପ୍ରିମକୋର୍ଟରେ ଦର୍ଶନ ନେଇ ଦାବି

ପୁରୀ: ଆଉ ଦୁଇଦିନ ପରେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ। ୨୭ ତାରିଖରେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ। ୨୫ ବର୍ଷ ପରେ ପଡୁଛି ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶ। ଛତିଶା ନିଯୋଗ ବୈଠକରେ ନାଗାର୍ଜୁନ ବେଶର ନୀତି ନିର୍ଘଣ୍ଟ ହୋଇଛି। ନିଷ୍ପତ୍ତି ଅନୁଯାୟୀ ନାଗାର୍ଜୁନ ବେଶରେ ମହାପ୍ରଭୁଙ୍କୁ ଏକ ଶୋଭାଯାତ୍ରାରେ ରାତି ୨ଟାରୁ ହରଚଣ୍ଡି ସାହି ଚକ୍ରକୋଟ ଜାଗାରୁ ଶ୍ରୀମନ୍ଦିରକୁ ଅଣାଯିବ। ଭୋର ପ୍ରାୟ ୪ ଟାରେ ସିଂହାରୀ ସେବାୟତ ମାନେ ଏହି ବେଶକୁ ମହାପ୍ରଭୁଙ୍କୁ ଲାଗି କରିବେ। ସକାଳ ୭ଟାରେ ବେଶ ଶେଷ ହେବ। ଅପରାହ୍ନ ୨ ଟାରେ ବେଶକୁ ଓଲାଗି ହେବ।

ପରମ୍ପରା ନଥିବାରୁ ପତିତପାବନଙ୍କର ମଧ୍ୟ ବେଶ ହେବ ନାହିଁ। ଚଳିତବର୍ଷ ନାଗାର୍ଜୁନ ବେଶକୁ ସଂଗ୍ରହାଳୟରେ ରଖାଯିବା ପାଇଁ ନିଷ୍ପତ୍ତି ହୋଇଛି। ମହାପ୍ରଭୁଙ୍କ ବେଶ ଭାଇରାଲ ହେବା ଆଶଙ୍କା ଥିବାରୁ ଶ୍ରୀମନ୍ଦିରରେ ମୋବାଇଲ ଫୋନ ବ୍ୟବହାର ସମ୍ପୁର୍ଣ୍ଣ ନିଷେଧ କରାଯାଇଛି। ସେହିପରି ନାଗାର୍ଜୁନ ବେଶ ଦିନ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ୧୪୪ ଧାରା ଜାରି କରାଯିବ।

ସେପଟେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ନାଗାର୍ଜୁନ ଦର୍ଶନ ମନା। ଛତିଶା ନିଯୋଗ ବୈଠକ ପରେ ଆଜି ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ। ସୁପ୍ରିମକୋର୍ଟରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଦର୍ଶନ ଦାବି କରାଯାଇଛି। ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ସର୍ବ ସାଧାରଣ ଦର୍ଶନ ଦାବି କରି ସର୍ବୋଚ୍ଚ ନ୍ୟାୟଳୟରେ ଆବେଦନ କରାଯାଇଛି। ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଞ୍ଚ ପକ୍ଷରୁ ଏହି ଆବେଦନ କରାଯାଇଛି। କରୋନା ଗାଇଡଲାଇନ୍ ପାଳନ କରି ମନ୍ଦିର ଖୋଲିବା ପାଇଁ ମଞ୍ଚ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି।

ନାଗାର୍ଜୁନ ବେଶ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। କେହିବି ଶ୍ରୀମନ୍ଦିର ଭିତରକୁ ଯିବେ ନାହିଁ। କେହି ବି ବାହାର ଲୋକ ସେବାୟତ ବେଶରେ ଆସିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଯେଉଁମାନେ ମନ୍ଦିର ଭିତରକୁ ଯିବେ ମୋବାଇଲ ନେବେନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Comments are closed.