Odisha Link
Bridging the Missing Links in Odisha

ମଉଳିଗଲା ସବୁ ଆଶା, ଚିର ନିଦ୍ରାରେ କାଳିଆ

ଭୁବନେଶ୍ବର: ଜବୀନ ଯୁଦ୍ଧରେ ହାରିଗଲେ କାଳିଆ। ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯାଇଥିଲେ ମଧ୍ୟ ଆଜିଠୁ କାଳିଆ ସବୁଦିନ ପାଇଁ ଚିରନିଦ୍ରାରେ। ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାହାର ମୃତ୍ୟୁ ହୋଇଥିବା ସୂଚନା ମଳିିଛି ।ଅପରପକ୍ଷେ ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଥିବ କଥା ସୂଚନା ମିଳିଛି।

ପ୍ରାୟ ୩ ବର୍ଷ ଧରି ଜୀବନ ସହ ସଂଗ୍ରାମ କରି ହାରିଯାଇଛି କାଳିଆ। ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ କାଳିଆକୁ ବଞ୍ଚେଇବା ସମ୍ଭବ ହୋଇପାରିନି। ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ୯ଟା ୧୦ରେ ଏସ୍‌ସିବିରେ କାଳିଆର ମୃତ୍ୟୁ ଘଟିଛି। ଏନେଇ SCBର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣାଙ୍କ ସୂଚନା ଦେଇଛନ୍ତି।

ଯୋଡମୁଣ୍ଡ ଶିଶୁ ଜଗା କାଳିଆଙ୍କର ଦିଲ୍ଲୀ ସ୍ଥିତ ଏମ୍‌ସ୍‌ରେ ଅସ୍ତ୍ରୋପଚାର କରାଯାଇଥିଲା। ସଫଳ ଭାବେ ଦୁଇ ଜଣଙ୍କୁ ଅଲଗା କରାଯାଇଥିଲା। ଜଗା ଅସ୍ତ୍ରୋପଚାର ପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ବେଳେ କାଳିଆ ସାମାନ୍ୟ ଅସୁସ୍ଥ ରହିଥିଲା। ପରେ ଡାକ୍ତରୀ ଟିମ୍‌ର ପରାମର୍ଶ କ୍ରମେ ଜଗା କାଳିଆଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ସୂଚନାଥାଉକି, ୧୨୫ଜଣ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍‌ ଏହି ଅତି ଜଟିଳ ଅପରେସନ କରିଥିଲେ। ତେବେ ଦୁଇଟି ପର୍ଯ୍ୟାୟରେ ଜଗା-କାଳିଆଙ୍କ ମୁଣ୍ଡ ଅଲଗା ହୋଇଥିଲ। ୨୦୧୭ ଅଗଷ୍ଟ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଅପରେସନ ହୋଇଥିଲା । ଏଥିରେ କାଳିଆ ମୁଣ୍ଡରେ ଭେନସ୍‌ ବାଇପାସ୍‌ ସୃଷ୍ଟି କରାଯାଇଥିଲା। ସେପଟେ ଜଗା ମସ୍ତିଷ୍କକୁ ଆଂଶିକ ଅଲଗା କରାଯାଇଥିଲା। ଲଗାତର ୨୫ଘଣ୍ଟା ପାଇଁ ଏହି ଅପରେସନ ଚାଲିଥିଲା। ପରେ ୨୦୧୭ ଅକ୍ଟୋବର ୨୫ ତାରିଖରେ ୨୦ଘଣ୍ଟା ଧରି ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହୋଇଥିଲା। ଏଥିରେ ସମ୍ପୂର୍ଣ୍ଣ ଭାବେ ଉଭୟଙ୍କ ଯୋଡ଼ା ମୁଣ୍ଡକୁ ଅଲଗା କରାଗଲା। ଏହା ପରେ ଚୂଡାନ୍ତ ଅପରେସନ ହୋଇଥିଲା।

ଏହି ଅପରେସନ ବେଳେ ଜଗା ହୃଦ୍‌ଘାତର ଶିକାର ହୋଇଥିଲା।ହେଲେ ୧୫ ମିନିଟ୍‌ ପରେ ଡାକ୍ତରମାନେ ଜଗା ସ୍ୱାସ୍ଥ୍ୟକୁ ସ୍ୱାଭାବିକ କରିବାରେ ସକ୍ଷମ ହୋଇଥିଲେ। ଏଭଳି ଜଟିଳ ଅପରେସନ୍‌ରେ ଉଭୟ ଜୀବନ ପ୍ରତି ୭୫ରୁ ୮୦ପ୍ରତିଶତ ବିପଦ ରହିଛି ବୋଲି ଚିକିତ୍ସା ବିଜ୍ଞାନୀମାନେ ମତ ଦେଇଥିଲେ। କିନ୍ତୁ ଡାକ୍ତରୀ ଟିମ୍‌ ଅକ୍ଲାନ୍ତ ପରିଶ୍ରମ କରି ଅପରେସନକୁ ସଫଳ ସାବ୍ୟସ୍ତ କରିଥିଲେ। ଅପରେସନ ଯୋଗୁ ୨୮ ମାସ ବୟସର ଜଗା- କାଳିଆଙ୍କ ଯୋଡ଼ା ମୁଣ୍ଡ ଅଲଗା ହୋଇ ପାରିଥିଲା। ଉଭୟଙ୍କ ମୁଣ୍ଡରେ ଚର୍ମ ପ୍ରତିରୋପଣ ହୋଇଥିଲା। ଲିମ୍‌କା ବୁକ୍‌ ଅଫ ରେକର୍ଡସ୍‌ର ୨୦୨୦ ସଂସ୍କରଣରେ ଏହି ଅପରେସନକୁ ପ୍ରଥମ ସଫଳ ଯୋଡାମୁଣ୍ଡ ଅପରେସନର ମାନ୍ୟତା ଦିଆଯାଇଥିଲା।

Comments are closed.