Odisha Link
Bridging the Missing Links in Odisha

ଶିଶୁ ଦେହରେ ଉଭୟ ଯୌନାଙ୍ଗ, ପୁଅ ନା ଝିଅ ଦ୍ବନ୍ଦ୍ବରେ ପିତାମାତା

କଟକ: ଏକ ବିରଳ ଶିଶୁକୁ ନେଇ ରାଜ୍ୟରେ ଲାଗି ରହିଛି ଚର୍ଚ୍ଚା। ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗକୁ ଏକ ଶିଶୁ ଚିକିତ୍ସା ପାଇଁ ଆସିବା ପରେ ଚର୍ଚ୍ଚା ଲାଗି ରହିଛି। ବିରଳ ଏଇଥିପାଇଁ କି’ ଶିଶୁର ଯୌନାଙ୍ଗ ସ୍ଥାନର ଗଠନ ବଡ଼ ବିଚିତ୍ର। ଉଭୟ ପୁରୁଷ ଓ ମହିଳାଙ୍କ ଯୌନାଙ୍ଗ ତା’ ଦେହରେ ପ୍ରାକୃତିକ ଭାବେ ସୃଷ୍ଟି ହୋଇଛି। ଶିଶୁଟି ୬ବର୍ଷ ବୟସର ହୋଇଥିବା ବେଳେ ତାଙ୍କ ଘର ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବିକ, ଜନ୍ମରୁ ତାହା ଏତେ ସ୍ପଷ୍ଟ ଜଣାପଡୁନଥିଲା । ମାତ୍ର ବୟସ ବଢ଼ିବା ପରେ ଉଭୟ ଯୌନାଙ୍ଗ ବଢ଼ିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି। କାରଣ, ପ୍ରଥମେ ପୁଅ ବୋଲି ପରିବାର ଲୋକେ ଭାବୁଥିବା ବେଳେ ଶିଶୁର ଯୌନାଙ୍ଗ ସ୍ଥଳୀରେ ଏଭଳି ଅସ୍ୱାଭାବିକ ପରିବର୍ତ୍ତନ ଘଟି ସେ ପୁଅ କି ଝିଅ ଦ୍ୱନ୍ଦ୍ୱ ଉପୁଜାଇଥିଲା। ପରେ ପରିବାର ଲୋକେ ଡାକ୍ତର ପରାମର୍ଶ କରି ଏହାର ଚିକିତ୍ସା ବ୍ୟବସ୍ଥା କରିଥିଲେ। ଏବେ ସେମାନେ ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଏସ୍‌ସିବିକୁ ଆସିଛନ୍ତି। ଏସ୍‌ସିବି ପ୍ଲାଷ୍ଟିକସର୍ଜରୀ ବିଭାଗରେ ଶିଶୁଟିର ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଛି। ଅଲ୍‌ଟ୍ରାସାଉଣ୍ଡ ପରେ ଶିଶୁଟିର ଗର୍ଭାଶୟ ନଥିବା ଜଣାପଡ଼ିଛି। ଅର୍ଥାତ୍‌ ସେ ପୂର୍ଣ୍ଣ ରୂପେ ମହିଳା ନୁହେଁ ବୋଲି ଜଣା ପଡ଼ିଛି।

ଶିଶୁଟିର ଶରୀରରେ ଉଭୟ ପୁରୁଷ ଓ ମହିଳା ଯୌନାଙ୍ଗ ବଢୁଥିବା ଜଣାପଡ଼ିଛି। ପରିବାର ଲୋକେ ଶିଶୁଟିକୁ ପୁରୁଷ କରିବାକୁ ଚାହୁଥିବାରୁ ଯୌନାଙ୍ଗ ସ୍ଥଳୀରେ ଅପରେସନ କରାଯିବ। ମହିଳା ଯୌନାଙ୍ଗକୁ ବନ୍ଦ କରାଯାଇ ପୁରୁଷ ଯୌନାଙ୍ଗର ବିକାଶ କରାଯିବ ବୋଲି ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପରିଚାଳକ ସତ୍ୟ ନାରାୟଣ ତ୍ରିପାଠୀ କହିଛନ୍ତି। ଏଥିପାଇଁ ପ୍ଲାଷ୍ଟିକସ୍‌ର୍ଜରୀ ବିଭାଗର ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍‌ ଗଠନ କରାଯିବାର ବ୍ୟବସ୍ଥା ହୋଇଛି। ଡିସେମ୍ବର ଶେଷ ସପ୍ତାହ କିମ୍ବା ଆସନ୍ତାବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଏହି ବିରଳ ଅପରେସନ କରାଯିବ।

ଶିଶୁଟିର ଶାରୀରିକ ସମସ୍ୟା ସମ୍ପର୍କରେ ଡାକ୍ତର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଏହାକୁ ଡାକ୍ତରୀ ଭାଷାରେ ହରମାଫେରୋଡାଇଟ୍‌ କୁହାଯାଇଥାଏ। ଏହା ଏକ ବିରଳ ବ୍ୟତିକ୍ରମ। ଏଥିରେ ଜଣଙ୍କଠାରେ ଉଭୟ ପୁରୁଷ ଓ ମହିଳାଙ୍କ ଯୌନାଙ୍ଗ ରହିଥାଏ। ଯାହା ଖୋଦ୍‌ ସଂପୃକ୍ତ ଶିଶୁ ଓ ଅନ୍ୟମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ ଯେ ପ୍ରକୃତରେ ସେ ପୁରୁଷ କିମ୍ବା ମହିଳା। ପରେ ପିଲାର ଗୁଣସୂତ୍ର (ଜେନେଟିକ) ଅନୁଧ୍ୟାନ କରାଯାଇଥାଏ, ପିଲାର ମାନସିକତାକୁ ମଧ୍ୟ ଅନୁଧ୍ୟାନ କରାଯାଇଥାଏ। ଯଦି ସେ ପୁରୁଷ ହେବାକୁ ଚାହୁଥାଏ, ତାର ଯୌନାଙ୍ଗର ବିକାଶ କରାଯିବା ସହ ହରମୋନ୍‌ ଆଦି ଦିଆଯାଇ ପୁରୁଷ କରାଯାଇଥାଏ। ଯଦି ମହିଳା ହେବାକୁ ଚାହୁଥାଏ, ତାର ଯୌନାଙ୍ଗକୁ ଠିକ୍‌ କରାଯାଇ ମହିଳା କରାଯାଇଥାଏ। ଚିକିତ୍ସା ପରେ ଏହି ରୋଗ ଠିକ୍‌ ହୋଇଯିବ ବୋଲି ଡା. ନାୟକ କହିଛନ୍ତି।

Comments are closed.