Odisha Link
Bridging the Missing Links in Odisha

୨୬ ବର୍ଷ ପରେ ଆଜି ବିରଳ ନାଗାର୍ଜୁନ ବେଶ

ଦୀର୍ଘ ୨୬ ବର୍ଷ ପରେ ଜଗତର ନାଥ ଜଗନ୍ନାଥ ବିରଳ ନାଗାର୍ଜୁନ ବେଶରେ ସଜିତ ହୋଇଛନ୍ତି। ତାଙ୍କର ଏହି ବେଶକୁ ପର୍ଶୁରାମ ଦେଶ ବୋଲି ମଧ୍ୟ କୁହାଯାଏ। ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଛଅ ଦିନ ପଡେ, ସେ ବର୍ଷ ମଳ ତିଥିରେ ଠାକୁରମାନଙ୍କ ନାଗାର୍ଜୁନ ବେଶ ହୋଇଥାନ୍ତି।

ପୂର୍ବଥର ଏହି ବେଶ ୧୬ ନଭେମ୍ବର ୧୯୯୪ ମସିହାରେ ଓ ତା ପୂର୍ବରୁ ୨୬ ନଭେମ୍ବର ୧୯୯୩, ୩ ନଭେମ୍ବର ୧୯୬୮, ୧୬ ନଭେମ୍ବର ୧୯୬୭ ଓ ୨୬ ନଭେମ୍ବର ୧୯୬୬ରେ କରାଯାଇଥିଲା। ତେବେ ପରବର୍ତ୍ତୀ ନାଗାର୍ଜୁନ ବେଶ ଚଳିତ ବର୍ଷ ୨୭ ନଭେମ୍ବର ୨୦୨୦ ତଥା ଆଜି ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୋଇଛି।

ଶ୍ରୀମନ୍ଦିରର ପ୍ରମୁଖ ସେବକ ଭିତରଛ ମହାପାତ୍ର, ତଳିଛ ମହାପାତ୍ରଙ୍କ ଉପସ୍ଥିତିରେ ପୁଷ୍ପାଳକ ସେବକମାନେ ଏହି ବେଶ କରାଇଛନ୍ତି। ଏଥି‌ରେ ଖୁଣ୍ଟିଆ ଓ ମେକାପ ସେବକମାନେ ସହାୟତା କରିଥିବା ବେଳେ ଏହା ଏକ ଜଜମାନି ବେଶ ହୋଇଥିବା ହେତୁ ବେଶ ସାମଗ୍ରୀ ଯୋଗାଣକାରୀ ଦାତା, ବେଶ କାରିଗର ଉପସ୍ଥିତ ରହିଥିଲେ ।

ଆଜି ନାଗାର୍ଜୁନ ବେଶରେ ଶ୍ରୀ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହାଣ୍ଡିଆ ଶିରସ୍ତ୍ରାଣକୁ ଭଣ୍ଡି ଫୁଲ ଓ କଦମ୍ବ ଫୁଲ କାଠିରେ ସଜାଇ ଦିଆଯାଇଛି । ହାଣ୍ଡିଆ ଉପରେ ପାଉଳି, ଚନ୍ଦ୍ରହାର, ବେଙ୍ଗପାଟିଆ, ସୂର୍ଯ୍ୟ, ଚନ୍ଦ୍ର ଇତ୍ୟାଦିରେ ସଜିତ ହୋଇଛି।

ମହାପ୍ରଭୁଙ୍କ ପୃଷ୍ଠଦେଶର ଉଭୟ ପାର୍ଶ୍ବରେ ତୀରପୂର୍ଣ୍ଣ ତୁଣୀର ସହିତ ଅନ୍ୟାନ୍ୟ ଅସ୍ତ୍ରମାନ ଖଂଜା ଯାଇଛି। ପ୍ରାରମ୍ଭରେ ବେଶକାରୀମାନେ ଠାକୁରମାନଙ୍କୁ ପାଟବସ୍ତ୍ର, ସିରକାପଡ଼ା, ଫୁଟା ପହରଣ, ବଳା ଇତ୍ୟାଦି ଲାଗି କରିବା ପ‌‌‌ରେ ସିଲ୍‌କ କନାରେ ପ୍ରସ୍ତୁତ ବେଶ ପିନ୍ଧାଇଥିଲେ।

ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦୁର୍ଲଭ ବେଶ ହୋଇଥିବାରୁ ଏହା ଭକ୍ତମାନଙ୍କୁ ତାଙ୍କ ପାଖକୁ ଟାଣି ନେଇଥିଲା। ତେବେ ଗତକାଲି ରାତ୍ର ଠାରୁ ୧୪୪ ଧାରା ଲାଗୁ କରା ଯାଇଥିଲା। ପୁରୀର ନାଗରିକଙ୍କ ସ୍ୱାସ୍ଥ୍ୟ ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେବା ଏବଂ କୋଭିଡ୍-୧୯ ସତର୍କତା ଅନୁଯାୟୀ ଭିଡ଼କୁ ରୋକିବା ଲାଗି ଏହି କଟକଣା କରାଯାଇଥିଲା।

Comments are closed.