୫ ମାସ ତଳେ ହୋଇଥିଲା ବିବାହ, ଡାକ୍ତରଖାନାରେ ସ୍ବାମୀଙ୍କୁ ଛାଡ଼ି ସ୍ତ୍ରୀ ଫେରାର

କେନ୍ଦୁଝର: ବୈଦିକ ରୀତିନିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବାପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ସାତ ଜନ୍ମ କଣ ବିବାହର ୫ ମାସ ନପୂରୁଣୁ ସ୍ବାମୀଙ୍କୁ ଛାଡ଼ି ଚମ୍ପଟ ମାରିଛି ସ୍ତ୍ରୀ। ଏଭଳି ଏକ ଅଜବ ଘଟଣା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଶଙ୍ଖୋ ଗ୍ରାମରେ ଘଟିଛି। ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆସିଥିବାବେଳେ ସ୍ୱାମୀକୁ ଛାଡି ସ୍ତ୍ରୀ ଚମ୍ପଟ ମାରିଛି। ଏନେଇ ସ୍ୱାମୀ ଗତକାଲି ଘସିପୁରା ଥାନା ଓ ଆଜି ନନ୍ଦିପଦା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏ ଘଟଣା ସମଗ୍ର ଅଞ୍ଚଳରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଅଭିଯୋଗରୁ ଜଣାଯାଇଛି ଯେ, ନନ୍ଦିପଦା ଥାନା ଶଙ୍ଖୋ ଗ୍ରାମର ନିରଞ୍ଜନ ଦାସଙ୍କ ପୁଅ କଳ୍ପତରୁ ଦାସ ଭଣ୍ଡାରୀ ପୋଖରୀ ଥାନା ଅଙ୍ଗାରଗଡିଆ ଗ୍ରାମର ସୁଜାତା ଦାସଙ୍କୁ ଗତ ଜୁନ୍ ମାସରେ ବୈଦିକ ରୀତିରେ ବିବାହ କରିଥିଲେ। ଗତ ୨୪ ତାରିଖ ଦିନ ସୁଜାତାର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ କଳ୍ପତରୁ ସାଙ୍ଗରେ ଧରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ଡାକ୍ତରଙ୍କୁ ଦେଖାଇ ସାରିବା ପରେ ଆଉଟ୍ଡୋର ନିକଟରେ ସୁଜାତାଙ୍କୁ ଠିଆ କରାଇ ଔଷଧ ପାଇଁ ଯାଇଥିଲେ। ହେଲେ ଫେରିବା ବେଳକୁ ସୁଜାତାକୁ ପାଇ ନଥିଲେ। କଳ୍ପତରୁ ଡାକ୍ତରଖାନା ପରିସର ସମେତ ବିଭିନ୍ନ ଆଡେ ଖୋଜାଖୋଜି କରି ସୁଜାତାକୁ ପାଇ ନଥିଲେ।
କିଛି ସମୟ ପରେ ସୁଜାତା ମୋବାଇଲ୍ ନମ୍ବରରୁ କଳ୍ପତରୁକୁ ଫୋନ୍ କରି ଜଣାଇଲେ କି ମୁଁ ପଳାଇ ଆସିଛି, ମୋତେ ଖୋଜିବ ନାହିଁ, ଭଳରେ ରହିବ ଥାନାରେ କେସ୍ କରିବ ନାହିଁ। ଏପରିକି ସୁଜାତା ଗଲାବେଳେ ଘରୁ ତିନୋଟି ଶାଢ଼ି, ଅନେକ ସୁନାରୁପା ଅଳଙ୍କାର ଓ ନଗଦ ୩୭ହଜାର ଟଙ୍କା ନେଇଯାଇଛି। ଏନେଇ କଳ୍ପତରୁ ଘସିପୁରା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଷ୍ଟେସନ ଡାଏରୀ କରିଛି। ପୁନଶ୍ଚ କଳ୍ପତରୁ ଓ ତାଙ୍କ ପରିବାର ଲୋକେ ନନ୍ଦିପଦା ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି।